କଟକ ରେଳ ଷ୍ଟେସନ୍ରୁ ପାଖାପାଖି ୬୦ ନାବାଳକ ଉଦ୍ଧାର ହୋଇଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ଆରପିଏଫ୍ ସମସ୍ତଙ୍କୁ ଉଦ୍ଧାର କରିଛି । ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୧୧ଟାରେ ହାଓଡ଼ା ପୁରୀ ଧଉଳି ଏକ୍ସପ୍ରେସ୍ କଟକ ଷ୍ଟେସନରେ ଲାଗିଥିଲା । ଏହା ପରେ ସେଥିରୁ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ୫୯ ଜଣ ନାବାଳକ ବାହାରିଥିଲେ । ନାବାଳକଙ୍କୁ ଦେଖି ଆରପିଏଫ୍ ସନ୍ଦେହ କରିଥିଲେ । ଆର୍ପିଏଫ୍ କର୍ମଚାରୀ ସମସ୍ତ ପିଲାଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ପଚରାଉଚରାରୁ ଜଣା ପଡିଥିଲା ଯେ ସମସ୍ତେ ବିହାର ଆରାରିଆ ଜିଲ୍ଲାର ଅଟନ୍ତି । ନାବାଳକ ବିହାରର ଆରାରିଆ ଜିଲ୍ଲାର ମୂଳ ବାସିନ୍ଦା ହୋଇଥିବା ବେଳେ ସେମାନେ କହିଛନ୍ତି ଯେ କେହି ଜଣେ ଅଜଣା ବ୍ୟକ୍ତି ସେମାନଙ୍କୁ ଖାଦ୍ୟ ଏବଂ ରହିବା ସହିତ ଓଡ଼ିଶାରେ ମାଗଣା ‘ମଦ୍ରାସା’ ଶିକ୍ଷା ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇ ପ୍ରଲୋଭିତ କରିଆଣିଥିବା ଜଣାପଡ଼ିଥିଲା । କିନ୍ତୁ କେହି ବି ସେମାନଙ୍କୁ ରେଳ ଷ୍ଟେସନରୁ ନେବାକୁ ଆସିନଥିଲେ ।ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଅଞ୍ଚଳର ମୌଲାନା ମହମ୍ମଦ ଅଖ୍ଲାଦ ଆସି ପୋଲିସକୁ କହିଥିଲେ ଯେ ଏମାନେ ମଦ୍ରାସାରେ ପାଠ ପଢ଼ିବା ପାଇଁ କଟକ ଆସିଛନ୍ତି । କିନ୍ତୁ କାହା ପାଖରେ ଉଚିତ୍ ପ୍ରମାଣ ପତ୍ର ନ ଥିବା ଜଣାପଡ଼ିଛି । ଆରପିଏଫର ‘ଅପରେସନ୍ ନାନ୍ହେ ଫରିସ୍ତେ’ ଅଧୀନରେ ନାବାଳକମାନଙ୍କୁ ଉଦ୍ଧାର କରାଯାଇଛି।













