ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ। ପ୍ରଥମ ପର୍ଯ୍ୟାୟରେ ଚକ ପାଇଁ ୪୨ଟି ତୁମ୍ୱ ନିର୍ମାଣ କାର୍ଯ୍ୟ ହେବ। ପବିତ୍ର ଅକ୍ଷୟ ତୃତୀୟାରେ ତିନି ରଥର ନିର୍ମାଣ କାର୍ଯ୍ୟ ପାଇଁ ଅନୁକୂଳ ହୋଇଛି। ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ମଇଲମ, ଅବକାଶ ଓ ସକାଳ ଧୂପ ଅନୁଷ୍ଠିତ ହେବା ପରେ ନକ୍ଷତ୍ର ଓ ଜୟବିଜୟ ଦ୍ଵାର ବନ୍ଦାପନା ସରିଥିଲା। ଏହାପରେ ବିମାନକୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ବିଜେ କରି ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ବାହାରିଥିଲେ। ଅକ୍ଷୟ ତୃତୀୟାରେ ଅନୁକୂଳ ପରେ ରଥ ନିର୍ମାଣରେ ଲାଗି ପଡିଛନ୍ତି କାରିଗର। ପ୍ରଥମେ ରଥ ଖଳାରେ ତିନି ରଥର ମହାରଣା ରଥ କାଠକୁ ପୂଜା କରିବା ପରେ କାଠ କାଟିବା ଆରମ୍ଭ କରିଛନ୍ତି କରତି ସେବକ। ଶ୍ରୀମନ୍ଦିର ଶ୍ରୋତୀୟ ବ୍ରାହ୍ମଣ ଓ ରାଜପୁରୋହିତଙ୍କ ଦ୍ୱାରା ବନଯାଗ ବିଧିରେ ସୁନା କୁରାଢିରେ ରଥନିର୍ମାଣ କାର୍ଯ୍ୟର ଅନୁକୂଳ କରାଯାଇଥିଲା। ତିନି ରଥ ମହାରଣାଙ୍କୁ କାଠ କଟାଯାଇ ପ୍ରଦାନ ପରେ ତୁମ୍ୱ ନିର୍ମାଣ ଆରମ୍ଭ ହେବ। ବିଶ୍ୱକର୍ମା ମହାରଣା ସେବକମାନେ ତିନି ରଥ ଚକ ପାଇଁ ମୋଟ ୪୨ଟି ତୁମ୍ବ ନିର୍ମାଣ କରିବେ। ଚଳିତ ରଥଯାତ୍ରା କିଭଳି ସୁରୁଖୁରୁରେ ଅନୁଷ୍ଠିତ ହେବ ସେଥିପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିବା କହିଛନ୍ତି ସେବକ।













