ଭୁବନେଶ୍ୱର: ୧୯୩୬ ଏପ୍ରିଲ୍ ୨୮ରେ ମୁକ୍ତିଲାଭ କରିଥିବା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ ସହ ଆରମ୍ଭ ହୋଇଥିବା ଓଲିଉଡ୍ର ଯାତ୍ରା ଆଜି ୯୦ ବର୍ଷ ପୂରଣ କରିଛି। ଏହି ଅବସରରେ ସମଗ୍ର ଓଡ଼ିଶାରେ ପାଳିତ ହେଉଛି ଓଡ଼ିଆ ଚଳଚ୍ଚିତ୍ର ଦିବସ। ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଯୁଗରୁ ଆରମ୍ଭ ହୋଇଥିବା ଏହି ସିନେମା ଯାତ୍ରାକୁ ନିର୍ଦ୍ଦେଶନା ଦେଇଥିଲେ ମୋହନ ସୁନ୍ଦର ଦେବ ଗୋସ୍ୱାମୀ। ସେହି ସମୟରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଓଡ଼ିଆ ଚଳଚ୍ଚିତ୍ର ଅନେକ ସଂଘର୍ଷ ଓ ସମସ୍ୟାକୁ ଜୟ କରି ନିଜର ଅଲଗା ପରିଚୟ ଗଢ଼ି ଉଠିଛି। ସୀତା ବିବାହ’ରୁ ଆରମ୍ଭ ହୋଇଥିବା ଓଲିଉଡ୍ର ଯାତ୍ରା ଆଜି ୯୦ ବର୍ଷ ପରେ ମଧ୍ୟ ସେଇ ଗର୍ବ ଓ ଗୌରବକୁ ବହନ କରୁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଅବସରରେ ଓଲିଉଡ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, “ଓଡ଼ିଆ ସିନେମା କେବଳ ମନୋରଞ୍ଜନ ନୁହେଁ, ଏହା ଆମ ସଂସ୍କୃତି, ଭାଷା ଓ ପରମ୍ପରାର ଜୀବନ୍ତ ପ୍ରତିଛବି। ସେ ଏହାକୁ ଆହୁରି ଆଧୁନିକ ଓ ବିଶ୍ୱସ୍ତରୀୟ କରିବା ପାଇଁ ସରକାରଙ୍କ ସଂକଳ୍ପ ଥିବା କଥା କହିଛନ୍ତି। ଏହି ୯୦ ବର୍ଷର ଯାତ୍ରାରେ ଅନେକ ଅଭିନେତା, ନିର୍ଦ୍ଦେଶକ ଓ କଳାକାରଙ୍କ ଅପାର ଅବଦାନ ରହିଛି, ଯାହା ଓଡ଼ିଆ ସିନେମାକୁ ଆଜି ଏକ ଶକ୍ତିଶାଳୀ ସ୍ଥାନରେ ପହଞ୍ଚାଇଛି”।
















