ନୂଆଦିଲ୍ଲୀ: ଆଜି ‘ନ୍ୟାସନାଲ କ୍ରାଫ୍ଟସ ମ୍ୟୁଜିୟମ’ ନୂଆଦିଲ୍ଲୀ ଠାରେ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଆସାମର ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି । ଭାରତର ପ୍ରତିଟି ସୂତା ଏବଂ ରଙ୍ଗ ମଧ୍ୟରେ ଆମ ଶିଳ୍ପୀମାନଙ୍କର ଅକ୍ଳାନ୍ତ ପରିଶ୍ରମ ଓ ବହୁ ପୁରାତନ ପରମ୍ପରା ଲୁଚି ରହିଛି । ସେମାନେ କେବଳ କାରିଗର ନୁହନ୍ତି, ବରଂ ଭାରତର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟର ପ୍ରକୃତ ବାହକ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ଆରଏସବି ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀର ମୁଖ୍ୟ ବିଷୟବସ୍ତୁ ଥିଲା ‘କୃଷ୍ଣ’ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ଭାରତର ‘ବିଭିନ୍ନତା ମଧ୍ୟରେ ଏକତା’ର ପ୍ରତିଫଳନ । ନ୍ୟାସନାଲ କ୍ରାଫ୍ଟସ ମ୍ୟୁଜିୟମରେ ଆୟୋଜିତ ଏହି ସ୍ୱତନ୍ତ୍ର ପ୍ରଦର୍ଶନୀ ଆମ ବୁଣାକାର ଓ ଶିଳ୍ପୀମାନଙ୍କର ସେହି ଅସାଧାରଣ କଳାକୃତିକୁ ସମ୍ମାନ ଜଣାଇବା ସହ ସେମାନଙ୍କୁ ବିଶ୍ୱ ବଜାରରେ ଏକ ନୂତନ ପରିଚୟ ଦେବାର ଏକ ସଶକ୍ତ ମାଧ୍ୟମ। ଏହି ଅବସରରେ ଓଡ଼ିଶାର ସମ୍ବଲପୁରୀ ଓ ଇକତ ବୁଣାକାରଙ୍କ ଧୈର୍ଯ୍ୟ ଓ କଳାକୁ ପ୍ରଶଂସା କରିଥିଲେ ଶ୍ରୀ ପ୍ରଧାନ। ଏନେଇ ମନ୍ତ୍ରୀ ଆହୁରି କହିଛନ୍ତି ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବ ଭାରତର ବିକାଶ ପାଇଁ ପୂର୍ବୋଦୟ ମିଶନର କଳ୍ପନା କରିଛନ୍ତି, ଯାହା ଏକ ଯୁଗାନ୍ତକାରୀ ପଦକ୍ଷେପ। ପୂର୍ବ ଭାରତର ବିକାଶ ହେଲେ ହିଁ ସମଗ୍ର ଭାରତର ବିକାଶ ହେବ। ବର୍ତ୍ତମାନ ସମୟରେ ଏହି କାରିଗରୀକୁ ଇ-କମର୍ସ ପ୍ଲାଫର୍ମରେ ଅଧିକ ଯୋଡିବା ଦିଗରେ ଗୁରୁତ୍ୱାରୋପ କରିଥିଲେ କେନ୍ଦ୍ରମନ୍ତ୍ରୀ। ସେ କହିଥିଲେ ଯେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନ ହେବ ଯେଉଁଠାରେ ଆମର ବୁଣାକାରମାନେ ଇ-କମର୍ସ ଏବଂ ଓଏନଡିସି ପ୍ଲାଟଫର୍ମ ମାଧ୍ୟମରେ ବିଶ୍ୱ ବଜାର ସହ ସିଧାସଳଖ ଯୋଡ଼ି ହୋଇପାରିବେ। ସେ ଜନସାଧାରଣଙ୍କୁ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବାକୁ ଅପିଲ କରିଥିଲେ।















