ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମଥର ପାଇଁ ଚଳିତମାସ ୧୮ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ନୀତିନ ନବୀନ। ସେ ଜଟଣୀଠାରେ ଦଳୀୟ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବା ସହ ରାଜ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ କୋର କମିଟି ବୈଠକରେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରି ପରିଷଦ ସଦସ୍ୟଙ୍କ ସହ ମଧ୍ୟ ସେ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେବା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦିନିକିଆ ଓଡ଼ିଶା ଗସ୍ତ ସମ୍ପର୍କରେ ସୂଚନା ଦେଇ ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଏହି ଗସ୍ତ ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଏହା ଦଳକୁ ନୂଆ ଶକ୍ତି ପ୍ରଦାନ କରିବ। ଜଟଣୀଠାରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରକୁ ସେ ଉଦଘାଟନ କରିବା ସହିତ ନିଜର ଅଭିଭାଷଣ ରଖିବେ। ଏହି ଶିବିରରେ ଦିନ ୨ଟା ପର୍ଯ୍ୟନ୍ତ ରହି କର୍ମୀମାନଙ୍କୁ ସାଙ୍ଗଠନିକ ମନ୍ତ୍ର ଦେବେ। ଅପରାହ୍ନରେ ରାଜ୍ୟ କାର୍ଯ୍ୟାଳୟରେ କୋର କମିଟି ବୈଠକ ଓ ମନ୍ତ୍ରୀମାନଙ୍କ ସହ ସ୍ୱତନ୍ତ୍ର ଭାବେ ବୈଠକ କରିବେ। ସାଂଗଠନିକ ସ୍ଥିତି ଓ ସରକାରୀ ଯୋଜନାର କାର୍ଯ୍ୟକାରିତା ଉପରେ ସେ ମାର୍ଗଦର୍ଶନ ପ୍ରଦାନ କରିବେ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର କହିଛନ୍ତି ଯେ, ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସ୍ୱାଗତ ପାଇଁ କର୍ମକର୍ତ୍ତାଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ରହିଛି। ଜଟଣୀ ପ୍ରଶିକ୍ଷଣ ଶିବିରକୁ ସଫଳ କରିବାକୁ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପରିବେଶ ସୁରକ୍ଷା ଓ ପେଟ୍ରୋଲ-ଡିଜେଲ ବ୍ୟବହାର ହ୍ରାସ କରିବା ସନ୍ଦେଶକୁ ପ୍ରସାର କରିବା ପାଇଁ ଏହି ରାଲିରେ ଅଧିକରୁ ଅଧିକ ବ୍ୟାଟେରୀ ଚାଳିତ ବା ଇ-ବାଇକ୍ ବ୍ୟବହାର କରିବାକୁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

LEAVE A REPLY

Please enter your comment!
Please enter your name here