ଭୁବନେଶ୍ଵର: କଣ୍ଟାବାଞ୍ଜି ପୁର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ ଘଟିଛି। ମୃତ୍ୟୁ ସମୟରେ ତାଙ୍କୁ ୭୮ବୟସ ହୋଇଥିଲା। କଣ୍ଟାବାଞ୍ଜି ସ୍ଥିତ ନିଜ ବାସ ଭବନ ଠାରେ ତାଙ୍କର ମୃତ୍ୟ ହୋଇଛି । ଅନେକ ଦିନ ହେଲା ସେ ଅସୁସ୍ଥ ରହିଥିଲେ । ଆୟୁବ ଖାଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଥରେ ଏବଂ ବିଜେଡି ପ୍ରାର୍ଥୀ ଭାବେ ଦୁଇ-ଦୁଇ ଥର ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ। ଆୟୁବ ଖାନ କାଉନସିଲର ଭାବେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ପରେ ସେ କଣ୍ଟାବାଞ୍ଜି ଏନଏସି ଚେୟାରମ୍ୟାନ ଭାବେ କାର୍ଯ୍ୟ କରିଥିଲେ। ୨୦୦୪ ମସିହାରେ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାୟକ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନ ଲଢ଼ି ୨୦୧୪ରେ ପୁଣିଥରେ ବିଧାୟକ ଭାବେ ବିଜୟୀ ହୋଇଥିଲେ। ଏହାଛଡ଼ା ସାମାଜିକ ଓ ଧାର୍ମିକ କ୍ଷେତ୍ରରେ ମଧ୍ୟ ତାଙ୍କ ଅବଦାନ ସ୍ମରଣୀୟ। ସେ ଓଡ଼ିଶା ହଜ କମିଟି ଅଧ୍ୟକ୍ଷ ଓ ୱାକଫ ବୋର୍ଡ ଅଧ୍ୟକ୍ଷ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ସଫଳତାର ସହ କାମ କରିଥିଲେ। କଣ୍ଟାବାଞ୍ଜିର ଉନ୍ନତି ପାଇଁ ତାଙ୍କ ପଦକ୍ଷେପ ଲୋକମାନଙ୍କ ମନରେ ଆଜିବି ଅମର ହୋଇ ରହିଛି। ସେଥିପାଇଁ ଅଞ୍ଚଳବାସୀ ତାଙ୍କୁ “ବିକାଶ ପୁରୁଷ” ବୋଲି ଡାକୁଥିଲେ। ତାଙ୍କ ଦେହାନ୍ତ ଖବର ଶୁଣି ବିଭିନ୍ନ ରାଜନୈତିକ ଦଳର ନେତା, ସମାଜସେବୀ ଓ ସାଧାରଣ ଲୋକ ଗଭୀର ଶୋକ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here