ଭୁବନେଶ୍ୱର: ପୁଣି ଜଣେ ପୁରୁଖା ନେତା ଦଳ ଛାଡ଼ିବା ପରେ ବାଣ ମାରିଛନ୍ତି ଶ୍ରୀମୟୀ ମିଶ୍ର । ନାଁ ନ ଧରି ଶ୍ରୀମୟୀ କହିଛନ୍ତି, ଯେପର୍ଯ୍ୟନ୍ତ ଭଣ୍ଡ ରହିବ, ସେପର୍ଯ୍ୟନ୍ତ ୱିକେଟ୍ ପଡ଼ିଚାଲିବ । ଶ୍ରୀମୟୀ ସିଧାସଳଖ କାହାକୁ ଇଙ୍ଗିତ ନ କରିଥିଲେ ବି ଭଣ୍ଡ ସନ୍ନ୍ୟାସୀ ଭିକେ ପାଣ୍ଡିଆନଙ୍କ ପାଇଁ, ତାହା ସ୍ପଷ୍ଟ ଅଟେ । ଶ୍ରୀମୟୀ ଗତକାଲିଠାରୁ ସାମାଜିକ ଗଣମାଧ୍ୟମରେ ଏକାଧିକ ପୋଷ୍ଟ କରିଛନ୍ତି । ସେ କହିବାନୁସାରେ ଦେବାଶିଷଙ୍କୁ ଅଟକାଇବାକୁ ଦଳ ପକ୍ଷରୁ ଅନେକ ଫୋନ୍ କଲ୍ ଯାଇଥିଲା । କିନ୍ତୁ ସେମାନେ ଦେବାଶିଷଙ୍କୁ ଆଉ ଅଟକାଇବାରେ ସଫଳ ହୋଇପାରିନଥିଲେ । ଶ୍ରୀମୟୀ ଗତକାଲି ହିଁ ଦଳର ସୁପ୍ରିମୋଙ୍କୁ ଚେତାଇ ଦେଇ ପୋଷ୍ଟ କରିଥିଲେ ଯେ ପୁଣି ଗୋଟେ ୱିକେଟ୍ ପଡ଼ିବ । ଅର୍ଥାତ ଦଳର ପୁଣି ଜଣେ ନେତା ଇସ୍ତଫା ଦେବେ । ଯାହାକି ଆଜି ସତ୍ୟରେ ପ୍ରମାଣିତ ହୋଇଛି । ଆଜି ପୁଣି ଶ୍ରୀମୟୀ ଲେଖିଛନ୍ତି ଯେ “ଯେପର୍ଯ୍ୟନ୍ତ ଭଣ୍ଡ ରହିବ, ସେ ପର୍ଯ୍ୟନ୍ତ ୱିକେଟ୍ ପଡ଼ି ଚାଲିବ”। ସେହିପରି ଆହୁରି ଏକ ପୋଷ୍ଟରେ ଲେଖିଛନ୍ତି, “ଫେରିଆସ ସନ୍ୟାସୀ ପ୍ରଚାର ନକରି,ଯଦି ଫେରିଆସ ପୁରୁଖା ପ୍ରଚାର ହୋଇଥାନ୍ତା, ତେବେ ଏଭଳି ସ୍ଥିତି ହୁଅନ୍ତାନି”।












