ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ‘ଜିରୋ ଟଲେରାନ୍ସ’ ନୀତି ଅନୁଯାୟୀ ଜଳ ସମ୍ପଦ ବିଭାଗର ୩ ଜଣ ଯନ୍ତ୍ରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆର୍ଥିକ ଅନିୟମିତତା ଏବଂ ସରକାରୀ ପ୍ରକଳ୍ପ କାର୍ଯ୍ୟରେ ଅବହେଳା ଅଭିଯୋଗରେ ସେମାନଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ ଅଧିକାରୀମାନେ ହେଲେ ବରଗଡ଼ ଜଳସେଚନ ଡିଭିଜନର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ମଦନ ମୋହନ ସେଠୀ, ଭେଡେନ ଜଳସେଚନ ସବ୍‌-ଡିଭିଜନର ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟର ରାଜ କୁମାର ମିଶ୍ର ଏବଂ ବରଗଡ଼ କେନାଲ ସେକ୍ସନର ଆସିଷ୍ଟାଣ୍ଟ ଇଞ୍ଜିନିୟର ରଞ୍ଜନ ପଟେଲ। ସୂଚନା ଅନୁଯାୟୀ, ବରଗଡ଼ ଡିଷ୍ଟ୍ରିବ୍ୟୁଟାରୀ ଉପରେ ବକ୍ସ କନଡ୍ୟୁଇଟ୍‌ ନିର୍ମାଣ ଏବଂ ବରଗଡ଼ ସହର ଦେଇ ଯାଇଥିବା କେନାଲ ସମ୍ମୁଖ ଭାଗର ବିକାଶ (ଫେଜ୍-୧) କାର୍ଯ୍ୟରେ ଅନିୟମିତତା ଓ ତଦାରଖରେ ଅବହେଳା ଅଭିଯୋଗ ଆସିଥିଲା। ବିଭାଗୀୟ ଯାଞ୍ଚ ପରେ ଏହି ତିନି ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ ପଦକ୍ଷେପ ନିଆଯାଇଛି। ଓଡ଼ିଶା ସିଭିଲ ସର୍ଭିସ (O.C.S.) ନିୟମ, ୧୯୬୨ର ଧାରା ୧୨(୧) ଅନୁଯାୟୀ ରାଜ୍ୟପାଳଙ୍କ ଆଦେଶକ୍ରମେ ଏହି ନିଲମ୍ବନ ଆଦେଶ ଜାରି ହୋଇଛି। ନିଲମ୍ବନ ଅବଧିରେ ମଦନ ମୋହନ ସେଠୀଙ୍କ ମୁଖ୍ୟାଳୟ ଭୁବନେଶ୍ୱରସ୍ଥ ଇଞ୍ଜିନିୟର-ଇନ୍-ଚିଫ୍‌ଙ୍କ କାର୍ଯ୍ୟାଳୟରେ ନିର୍ଦ୍ଧାରିତ କରାଯାଇଥିବା ବେଳେ ରାଜ କୁମାର ମିଶ୍ର ଓ ରଞ୍ଜନ ପଟେଲଙ୍କୁ ବୁର୍ଲାସ୍ଥ ମହାନଦୀ ବେସିନ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ କୁହାଯାଇଛି। ଏହାସହ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ିବା ଉପରେ କଟକଣା ଲଗାଯାଇଛି।

LEAVE A REPLY

Please enter your comment!
Please enter your name here