ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସ୍ୱଚ୍ଛ କରିବା ପାଇଁ ରାଜ୍ୟ ପୋଲିସ୍ ମୁଖ୍ୟାଳୟ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତା ଜୁଲାଇ ମାସରୁ ବିଭିନ୍ନ ଜିଲ୍ଲାର ପୋଲିସିଂ ବ୍ୟବସ୍ଥାର ତୃଣମୂଳ ସମୀକ୍ଷା ଓ ଯାଞ୍ଚ ପାଇଁ ୧୫ ଜଣ ବରିଷ୍ଠ ଆଇପିଏସ୍ (IPS) ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିରୀକ୍ଷଣ ପ୍ରକ୍ରିୟା ଶେଷ ହେବାର ୧୫ ଦିନ ମଧ୍ୟରେ ମୁଖ୍ୟାଳୟରେ ରିପୋର୍ଟ ଦାଖଲ କରିବାକୁ ବାଧ୍ୟତାମୂଳକ କରାଯାଇଛି। ବିଶେଷ କରି ଥାନା ହାଜତରେ ଘଟୁଥିବା ‘ଥାର୍ଡ ଡିଗ୍ରୀ’ (ଶାରୀରିକ ନିର୍ଯାତନା) ଏବଂ ଥାନା ସ୍ତରରେ ହେଉଥିବା ଅନିୟମିତତା ଉପରେ ଏହି ଅଧିକାରୀମାନେ ତୀକ୍ଷ୍ଣ ନଜର ରଖିବା ସହ ଏହାର ବିଧିବଦ୍ଧ ସମୀକ୍ଷା କରିବେ।କ୍ରାଇମବ୍ରାଂଚ ଡିଜି ବିନୟତୋଷ ମିଶ୍ରଙ୍କୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଏବଂ ସ୍ପେଶାଲ ଅପରେସନ୍ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ନିରୀକ୍ଷଣ ଦାୟିତ୍ୱ ନ୍ୟସ୍ତ ହୋଇଥିବାବେଳେ ଅନ୍ୟ ୧୩ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କୁ ଗୋଟିଏ ଲେଖାଏଁ ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଜଗତସିଂହପୁର, ରେଳବାଇ ଏଡିଜି ଅରୁଣ ବୋଥ୍ରାଙ୍କୁ ଅନୁଗୁଳ, ଆଇନ ଓ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାରଙ୍କୁ ସମ୍ବଲପୁର, ଏଡିଜି ରାଜେଶ କୁମାରଙ୍କୁ ନୟାଗଡ଼, ଏଡିଜି ପ୍ରତୀକ ମହାନ୍ତିଙ୍କୁ ଯାଜପୁର, ଏଡିଜି ଯତୀନ୍ଦ୍ର କୋଏଲଙ୍କୁ କଳାହାଣ୍ଡି, ଏଡିଜି ଏସ.ସାଇନିଙ୍କୁ ବଲାଙ୍ଗୀର ଜିଲ୍ଲାର ତଦାରଖ ଦାୟିତ୍ୱ ଦିଆଯାଇଛି।ସେହିପରି ଆଇଜି ଏସ.ପ୍ରବୀଣ କୁମାରଙ୍କୁ କନ୍ଧମାଳ, ଆଇଜି ଗଜଭିୟେ ସତୀଶ କୁମାର ଈଶ୍ୱରଦାସଙ୍କୁ ଢେଙ୍କାନାଳ, ଆଇଜି ଦୀପକ କୁମାରଙ୍କୁ ମାଲକାନଗିରି, ଆଇଜି ଅନୁପ କୁମାର ସାହୁଙ୍କୁ ପୁରୀ, ଆଇଜି ଅବିନାଶ କୁମାରଙ୍କୁ ମୟୂରଭଞ୍ଜ ଓ ଆଇଜି ସାର୍ଥକ ଷଡ଼ଙ୍ଗୀଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାର ଦାୟିତ୍ୱ ନ୍ୟସ୍ତ ହୋଇଥିବା ଜଣାପଡ଼ିଛି।













