ଭୁବନେଶ୍ୱର: ତାମିଲନାଡୁ ଗ୍ୟାସ ଲିକ୍ ଅଘଟଣରୁ ଜୀବନ ବଞ୍ଚାଇ ଫେରିଛନ୍ତି ୬୨ ଓଡ଼ିଆ ଶ୍ରମିକ । ରାଜ୍ୟ ସରକାର ଚେନ୍ନାଇରୁ ଟ୍ରେନ୍ ଯୋଗେ ୬୨ ଜଣ ଓଡ଼ିଆ ପ୍ରବାସୀ ଶ୍ରମିକଙ୍କୁ ଆଜି ସୁରକ୍ଷିତ ଭାବେ ଭୁବନେଶ୍ୱରରେ ଆଣିଛନ୍ତି । ସେମାନଙ୍କ ମଧ୍ୟରୁ ୫୮ ଜଣ କେନ୍ଦୁଝର ଜିଲ୍ଲାର ହୋଇଥିବାବେଳେ ଅନ୍ୟ ୪ ଜଣ କୋରାପୁଟ, ରାୟଗଡ଼ା, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାର ରହିଛନ୍ତି। ଶ୍ରମ ଆୟୁକ୍ତ ଇନ୍ଦ୍ରମଣି ତ୍ରିପାଠୀଙ୍କ ସୂଚନା ଅନୁସାରେ, ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୨ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ସରକାର ପ୍ରାଥମିକତା ଦେଇଥିଲେ । ଫେରିଥିବା ୬୨ ଜଣ ଶ୍ରମିକଙ୍କ ମଧ୍ୟରେ ୩୫ ଜଣ ମହିଳା ଅଛନ୍ତି ଏବଂ ସେମାନେ ସମସ୍ତେ କେନ୍ଦୁଝର ଜିଲ୍ଲାର। ସେହିପରି ୨୭ ଜଣ ପୁରୁଷ ଶ୍ରମିକ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୨୩ ଜଣ କେନ୍ଦୁଝର ଜିଲ୍ଲାର ହୋଇଥିବାବେଳେ ଅବଶିଷ୍ଟ ୪ ଜଣ କୋରାପୁଟ, ରାୟଗଡ଼ା, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାର ରହିଛନ୍ତି । ଭୁବନେଶ୍ୱରରେ ପହଞ୍ଚିବା ପରେ କେନ୍ଦୁଝର ଜିଲ୍ଲାର ୫୮ ଜଣ ଶ୍ରମିକଙ୍କୁ ସ୍ୱତନ୍ତ୍ର ବସ୍ ଯୋଗେ ସେମାନଙ୍କ ଘରକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା। ସେହିପରି କୋରାପୁଟ, ରାୟଗଡ଼ା, ମୟୂରଭଞ୍ଜ ଓ ଢେଙ୍କାନାଳରୁ ଆସିଥିବା ଚାରି ଜଣ ଶ୍ରମିକଙ୍କୁ ମଧ୍ୟ ସରକାରୀ ବ୍ୟବସ୍ଥାରେ ନିଜ ନିଜ ଜିଲ୍ଲାକୁ ପଠାଯାଇଛି। ଏହି ଘଟଣାରେ ଗୁରୁତର ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବା ୪ ଜଣ ଶ୍ରମିକ ସୁସ୍ଥ ହୋଇ ଆଜି ସେମାନଙ୍କ ସହ ଓଡ଼ିଶା ଫେରିଛନ୍ତି। ଭୁବନେଶ୍ୱର ରେଳ ଷ୍ଟେସନରେ ଶ୍ରମ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ସମଗ୍ର ପ୍ରକ୍ରିୟାର ତଦାରଖ କରିଥିଲେ।”









