ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଚଳିତ ସପ୍ତାହରେ ଚୀନ୍‌ରେ ଏକାଠି ବୈଠକ କରିବେ। ତିନି ଦେଶର ଶୀର୍ଷ ନେତାଙ୍କ ଏଭଳି ମିଳିତ ବୈଠକ ପ୍ରଥମ ଥର ପାଇଁ ହେବାକୁ ଯାଉଛି। ଚୀନ୍‌ରେ ଆୟୋଜିତ APEC Summit ଅବସରରେ ନଭେମ୍ବର ୧୯ ତାରିଖ ଗୁରୁବାର ଦକ୍ଷିଣ ଚୀନ୍‌ର ଟେକ୍ନୋଲୋଜି ସହର ଶେନ୍‌ଜେନ୍‌ରେ ଏହି ବୈଠକ ହେବ ବୋଲି ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ହ୍ୱାଇଟ୍ ହାଉସ୍‌ ଅନୁସାରେ, ବିଶ୍ୱରେ ପରମାଣୁ ଅସ୍ତ୍ରର ପ୍ରସାର ରୋକିବା ଏବଂ ଏହାର ସଂଖ୍ୟା ହ୍ରାସ କରିବା ବୈଠକର ମୁଖ୍ୟ ଆଲୋଚ୍ୟ ବିଷୟ ହେବ। ଇରାନ୍ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇପାରେ। ତେବେ ଏହି ବୈଠକରୁ ତୁରନ୍ତ କୌଣସି ପରମାଣୁ ଚୁକ୍ତି ହେବାର ଆଶା ନାହିଁ ବୋଲି ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହାକୁ ଭବିଷ୍ୟତରେ ଆଲୋଚନା ଆଗକୁ ବଢ଼ାଇବାର ପ୍ରଥମ ପଦକ୍ଷେପ ବୋଲି ସେ ବର୍ଣ୍ଣନା କରିଛନ୍ତି। ଆମେରିକା ଓ ରୁଷ୍‌ ମଧ୍ୟରେ ଥିବା ଶେଷ ପରମାଣୁ ଅସ୍ତ୍ର ନିୟନ୍ତ୍ରଣ ଚୁକ୍ତି ଚଳିତ ବର୍ଷ ଫେବୃଆରୀରେ ଶେଷ ହୋଇଥିବାବେଳେ ଚୀନ୍ ନିଜର ପରମାଣୁ ଅସ୍ତ୍ରଭଣ୍ଡାରକୁ ଦ୍ରୁତଗତିରେ ବଢ଼ାଉଛି। ଅନ୍ୟପଟେ, ରୁଷ୍‌-ୟୁକ୍ରେନ୍ ଯୁଦ୍ଧକୁ ନେଇ ମଧ୍ୟ ଆଲୋଚନା ହେବ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଆଶଙ୍କା ପ୍ରକାଶ କରିଛନ୍ତି ଯେ, ୟୁକ୍ରେନ୍‌ର ଭବିଷ୍ୟତ ନେଇ ତାଙ୍କ ଦେଶକୁ ସାମିଲ ନକରି ତିନି ଶକ୍ତିଶାଳୀ ରାଷ୍ଟ୍ର କୌଣସି ବୁଝାମଣା କରିପାରନ୍ତି। ଟ୍ରମ୍ପଙ୍କ ଏହି ଗସ୍ତରେ ଏଲନ୍ ମସ୍କ ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି, ହେଲେ ସେ ତ୍ରିପାକ୍ଷିକ ବୈଠକରେ ଯୋଗଦେବେ ନାହିଁ।

Post Views:0

LEAVE A REPLY

Please enter your comment!
Please enter your name here