ପୁରୀ: ଆଜି ପୁରୀ ଟାଉନ ହଲରେ ମୁଖ୍ୟମନ୍ତ୍ରୀ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବାକୁ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି କାମ କରିବାକୁ ପରାମର୍ଶ ଦେଇଛନ୍ତି । ସେହିପରି ସେବାୟତ ଏବଂ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ପଡ଼ିବ । ପୁଲିସ, ସ୍ୱାସ୍ଥ୍ୟ ବିଭାଗ, ପରିବହନ, ପୌର ପ୍ରଶାସନ, ବିଦ୍ୟୁତ, ଅଗ୍ନିଶମ, ଜଳଯୋଗାଣ ଓ ଅନ୍ୟାନ୍ୟ ସମସ୍ତ ବିଭାଗ ପରସ୍ପର ସହ ମିଳିମିଶି କାମ କଲେ ହିଁ ରଥଯାତ୍ରା ସଫଳ ହେବ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ବୈଠକରେ ସ୍ୱାସ୍ଥ୍ୟ, ପରିମଳ, ଟ୍ରାଫିକ ବ୍ୟବସ୍ଥା ଓ ଭିଡ଼ ନିୟନ୍ତ୍ରଣ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । ସେବାୟତଙ୍କ ନିଷ୍ଠା ଯୋଗୁଁ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ଅସୁବିଧା କେବେ ହୋଇନି, ସେହିପରି ଚଳିତ ବର୍ଷ ମଧ୍ୟ କୌଣସି ଅସୁବିଧା ହେବନି ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ବୈଠକରେ ଦୁଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକ ବର୍ଦ୍ଧନ ସିଂହଦେଓ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ପଞ୍ଚାୟତରାଜ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଅନ୍ୟ ବିଭାଗର ମନ୍ତ୍ରୀ ଗଣ, ସ୍ଥାନୀୟ ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର ଅରବିନ୍ଦ ପାଢ଼ୀ, ପୁରୀ ଜିଲ୍ଲାପାଳ ଓ ଏସପି ପ୍ରମୁଖ ଯୋଗ ଦେଇଥିଲେ ।












