କଟକ: କଟକ ପୁରୀଘାଟ ଥାନା ଅନ୍ତର୍ଗତ ଗଣେଶଘାଟ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼ ଓ ସଂଘର୍ଷ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଉଛନ୍ତି ବୁଲୁ ଓରଫ ଅମରେନ୍ଦ୍ର ସାମଲ। ତାଙ୍କ ବୟସ ୫୦ ବର୍ଷ। ସେହିପରି ଜଣେ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେ ହସ୍ପିଟାଲରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ସଂଘର୍ଷରେ ଜଣେ ପୋଲିସ କନଷ୍ଟେବଳଙ୍କ ମୁଣ୍ଡ ଫାଟିଛି । ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟା ବେଳେ ଗଣେଶ ଘାଟ ନିକଟ ସଞ୍ଜୟ ଚା ଦୋକାନ ଠାରେ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାର କିଛି ସମୟ ପରେ ବୁରୁଜ ସାହି ଓ ଗଣେଶ ଘାଟ ସାହିରୁ ଏକାଧିକ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଭୟ ପରସ୍ପର ଉପରକୁ କାଚ ବୋତଲ, ଢେଲା ଓ ଇଟା ମାଡ଼ କରିଥିଲେ। ସେଠାରେ ଥିବା ତିନିଟି ବାଇକକୁ ଉତ୍ତ୍ୟକ୍ତ ଲୋକେ ପିଟି ଭାଙ୍ଗି ଦେଇଛନ୍ତି। ଏକ ଯାତ୍ରୀବାହୀ ଅଟୋକୁ ମଧ୍ୟ ପିଟି ଭାଙ୍ଗିଦେଇଛନ୍ତି। ଯେଉଁ ଚା ଦୋକାନ ନିକଟରେ ଏହି ବିବାଦ ଆରମ୍ଭ ହୋଇଥିଲା ଉକ୍ତ ଦୋକାନକୁ ଭାଙ୍ଗି ଦିଆଯାଇଛି। ଯେଉଁମାନେ ଏହି ଘଟଣାରେ ସାମିଲ ଅଛନ୍ତି ତାହାର ତଦନ୍ତ କରାଯାଉଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’’ ବୋଲି କଟକ ଡିସିପି ଋଷିକେଶ ଡି ଖିଲାରୀ କହିଛନ୍ତି । ଏପରି ବଡ଼ ଧରଣର ଗଣ୍ଡଗୋଳ ହେଲା ତାହାର କାରଣ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଡିସିପି କହିଛନ୍ତି। ସେହିପରି ଉକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ତାହାକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି l














