ଭୁବନେଶ୍ୱର: ମିଥ୍ୟା ପ୍ରଚାର ଅଭିଯୋଗରେ କ୍ୟାପିଟାଲ୍ ଥାନା ପୋଲିସ, ବରମୁଣ୍ଡାରେ ଥିବା ଫୋକସ୍ ପ୍ଲସ୍ ଅଫିସରେ ଚଢ଼ଉ କରିବା ସହ ଅଫିସ କୁ ସିଲ୍ କରିଛି। ମିଳିଥିବା ଖବର ଅନୁଯାୟୀ, ଗତ ୧୨ ତାରିଖରେ ଏକ ସଙ୍ଗଠନ ପକ୍ଷରୁ ବାପୁଜୀନଗରରେ ଥିବା ଏକ ହୋଟେଲରେ ଏକ କାର୍ଯ୍ୟକ୍ରମ ହୋଇଥିଲା। ସେଠାରେ ଫୋକସ୍ ପ୍ଲସ୍ ଟିଭିର ମୁଖ୍ୟ ସୁଧାଂଶୁ ରାଉତ ଅତିଥି ଭାବେ ଯୋଗଦେଇଥିଲେ। ସେହି କାର୍ଯ୍ୟକ୍ରମରେ ସୁଧାଂଶୁ କହିଥିଲେ, ଆମ ଉମରକୋଟ ରିପୋର୍ଟର ପ୍ରୀତିରଞ୍ଜନ ଦାସଙ୍କ ମାଧ୍ୟମରେ ମୋତେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଫୋନ୍ କରି ବହି ତ୍ରୁଟି ବିରୋଧରେ ନ୍ୟୁଜ୍ ନ କରିବା ପାଇଁ ଟଙ୍କା ଅଫର କରୁଥିଲେ। କିନ୍ତୁ ପରେ ଉମରକୋଟର ସେହି ସମ୍ବାଦଦାତା ଫେସବୁକ୍‌ରେ ଲାଇଭ୍‌ ଆସି ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ସେ କହିଥିଲେ ଯେ, ରାଉତଙ୍କ ଦାବି ଭୁଲ ଏବଂ ସେ ଏପରି କୌଣସି ସୂଚନା ଦେଇନଥିଲେ। ସୁଧାଂଶୁଙ୍କ ଏହି ବୟାନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏହା ବିରୋଧରେ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଏସ ଥିବା ଆଶିଷ କୁମାର ଭୋଇ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ରିପୋର୍ଟର ପ୍ରୀତିରଞ୍ଜନଙ୍କ ବୟାନ ରେକର୍ଡ କରିଥିଲା । ଏହା ସହିତ ସଂସ୍ଥାର ଦୁଇ ଜଣ କର୍ମଚାରୀଙ୍କୁ ବି ପୋଲିସ ଉଠାଇ ନେଇଥିବା ଜଣା ପଡ଼ିଛି। କ୍ୟାପିଟାଲ ଥାନା ଆଇଆଇସି ରାଧାକାନ୍ତ ସାହୁ କହିଛନ୍ତି, ମିଥ୍ୟା ପ୍ରଚାର ନେଇ ଅଭିଯୋଗ ହୋଇଥିଲା।

LEAVE A REPLY

Please enter your comment!
Please enter your name here