ବ୍ରହ୍ମପୁର: ପୁରୁଷୋତ୍ତମପୁର ନଦୀତଟ ସାହିର କୁକ୍ଷାତ ଅପରାଧି କାଳିଆ ଓରଫ ଘନଶ୍ଯାମ ବେହେରାଙ୍କୁ ପୋଲିସ ଏନକାଉଣ୍ଟର କରିଛି । ପୁରୁଷୋତ୍ତମପୁର ଥାନା ଆଇଆଇସି କୁଳମଣି ସେଠୀ ଓ ତାଙ୍କ ଟିମ ସହ କୋଦଳା -ସିଂହାସିନି ରୋଡ଼ରେ ମୁହାଁମୁହିଁ ହୋଇଥିଲା କାଳିଆ। ମିଳିଥିବା ସୂଚନା ଅନୁଯାୟୀ ନାଇତାଡ଼ା ସାହିର ଦୁର୍ଦ୍ଦାନ୍ତ ଅପରାଧୀ କାଳିଆକୁ ଧରିବା ପାଇଁ ପୁରୁଷୋତ୍ତମପୁର ଥାନା ଆଇଆଇସି କୁଳମଣି ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ଅଭିଯାନ ଆରମ୍ଭ କରିଥିଲା । କୋଦଳା-ସିଂହାସିନୀ ଜଙ୍ଗଲ ରାସ୍ତାରେ ବାଇକରେ ଯାଉଥିବା କାଳିଆ ଓ ତା’ର ସହଯୋଗୀଙ୍କୁ ପୋଲିସ ପିଛା କରିବାରୁ, ସେମାନେ ହଠାତ୍ ପୋଲିସ ଟିମ୍ ଉପରକୁ ବୋମା ମାଡ଼ କରିବା ସହ ଗୁଳି ଚଳାଇଥିଲେ । ଆତ୍ମରକ୍ଷା ପାଇଁ ଇନ୍ସପେକ୍ଟର କୁଳମଣି ସେଠୀ ପାଲଟା ଗୁଳି ଚଳାଇବାରୁ କାଳିଆର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା । ପୋଲିସ କାଳିଆକୁ ଘଟଣାସ୍ଥଳରୁ ଉଦ୍ଧାର କରି ପ୍ରଥମେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରକୁ ଆଣି ଚିକିତ୍ସା କରାଇ ବ୍ରହ୍ମପୁର ବଡମେଡିକାଲକୁ ନେଇଥିବା ଆଇଆଇସି କହିଛନ୍ତି । ହତ୍ୟା, ହତ୍ୟା ଉଦ୍ୟମ, ଚୋରି ଓ ଡକାୟତି ଭଳି ବହୁ ସଂଗୀନ ମାମଲା କାଳିଆ ନାମରେ ଅଛି।










