41 ପ୍ରତିଯୋଗୀଙ୍କ କଣ୍ଠରେ ଶ୍ରୀଜଗନ୍ନାଥ ଭଜନ, ମନ୍ତ୍ରମୁଗ୍ଧ ହେଲେ ଦର୍ଶକ
ଭୁବନେଶ୍ବର – ଜଗନ୍ନାଥ ହୋ .. କିଛି ମାଗୁନାହିଁ ତୋତେ, ଲାଗେନା ଲାଗେନା ଭଲ ତୁମରି ବିନା, କାଳିଆ ପୋଷିଚି ପାରା…. ଏମିତି ଗୋଟିଏ କି ଦୁଇଟି ନୁହେଁ, 41 ଜଣ ନବ ପ୍ରତିଭାଙ୍କ କଣ୍ଠରେ ଶ୍ରୀଜଗନ୍ନାଥ ଭଜନରେ ତଲ୍ଲୀନ ହୋଇଯାଇଥିଲେ ଦର୍ଶକ । ଅବସର ଥିଲା ତକ୍ଷକ ମିଡିଆ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ଜଗନ୍ନାଥ ହୋ…ର ଗ୍ରାଣ୍ଡ୍ ଫିନାଲେ । 13 ବର୍ଷ ପର୍ଯ୍ୟନ୍ତ ସବଜୁନିଅର ଗ୍ରୁପରେ 16 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେହିପରି 13 ରୁ 20 ବର୍ଷ ବୟସ ସୀମା ଭିତରେ ଜୁନିଅର ବିଭାଗରେ 17 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । 20 ରୁ 35 ବର୍ଷ ମଧ୍ୟରେ 8 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ବିଶିଷ୍ଟ ସଙ୍ଗୀତଜ୍ଞ ମହାପାତ୍ର ମିନତୀ ଭଞ୍ଜ, ଅନୁସୂୟା ନାଥ, ହରପ୍ରିୟା ସ୍ବାଇଁ ଓ ସୁକାନ୍ତ କୁମାର କୁଣ୍ଡୁ ସଙ୍ଗୀତଗୁରୁ ଭାବେ ଯୋଗ ଦେଇ ପ୍ରତି ବିଭାଗରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ବିଜେତାଙ୍କ ନିର୍ବାଚିତ କରିଥିଲେ । ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ କୁମାର ସାହୁ, ବିଶିଷ୍ଟ ସାହିତ୍ୟିକ ଦାଶ ବେନେହୁର ଓ ସମ୍ବାଦ-କନକ ନ୍ୟୁଜ ସଂପାଦକ ତନୟା ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଅଜୟ ପଟ୍ଟନାୟକ, ଓଡିଶା ଲାଇବ ସଂପାଦକ ନୀଳାମ୍ବର ରଥ, ବରିଷ୍ଠ ସାମ୍ବାଦିକ ଧୃତିକାମ ମହାନ୍ତି ପ୍ରମୁଖ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ସବ ଜୁନିଅର ଭିବାଗରେ ଦୁର୍ଗା ପ୍ରସାଦ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ବିତୀୟ ସ୍ଥାନରେ ଆଂଶିକା ନାଥ ଓ ତୃତୀୟ ସ୍ଥାନରେ ସାୟୁଶ ସୁମନ ସାହୁ ରହିଥିଲେ । ଜୁନିଅର ବିଭାଗରେ ଆହାନା ସ୍ବାଇଁ ପ୍ରଥମ, ସୁତପା ନାଥ ଦ୍ବିତୀ. ଏବଂ ସୁଧୃତି ଶତଭିଷା ଦଳେଇ ତୃତୀୟ ସ୍ଥାନ ହାସଲ କରିଥିଲେ । କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ତକ୍ଷକ ମିଡିଆର ସଂପାଦକ ଅପୂର୍ବ କୁମାର ମହାନ୍ତି ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ଅଭିନେତ୍ରୀ ମଧୁମିତା ମହାନ୍ତି ।

LEAVE A REPLY

Please enter your comment!
Please enter your name here