ନୂଆଦିଲ୍ଲୀ:ଦେଶ ଆଜି ପାଳନ କରୁଛି ୮୦ତମ ସ୍ୱାଧୀନତା ଦିବସ l ଏହି ଅବସରରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମ ଥର ପାଇଁ ସ୍ୱାଧୀନତା ଦିବସ ସମାରୋହରେ ଲାଲକିଲ୍ଲାରେ ବନ୍ଦେ ମାତରମ୍ ଗାନ କରାଯାଇଛି। ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ପଦକ୍ଷେପ ନିଆଯାଇଛି। ପତାକା ଉତ୍ତୋଳନ ପୂର୍ବରୁ ବନ୍ଦେ ମାତରମ୍ ଗାନ କରାଯାଇଥିଲା।ଏହା ପରେ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଏହି ସମୟରେ ଭାରତୀୟ ବାୟୁସେନାର ଦୁଇଟି Mi-17 ହେଲିକପ୍ଟର ଦ୍ୱାରା ଆକାଶ ମାର୍ଗରୁ ଫୁଲ ବର୍ଷା କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଯୁବପିଢ଼ି, ଶିକ୍ଷା ଏବଂ ଭବିଷ୍ୟତର ବିକାଶ ପାଇଁ କିଛି ପ୍ରମୁଖ ଘୋଷଣା କରିଛନ୍ତି।ଏହି ଘୋଷଣାଗୁଡ଼ିକ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ଅନଲାଇନ୍ କୋଚିଂ ନେଟୱାର୍କ ଏବଂ ଆଗାମୀ ଗୋଟିଏ ବର୍ଷ ଭିତରେ ୧ କୋଟି ଯୁବକଯୁବତୀଙ୍କୁ ‘ଏଆଇ’ ତାଲିମ ପ୍ରଦାନ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସାମିଲ ରହିଛି। ଗରିବରୁ ଅତି ଗରିବ ପରିବାରର ପିଲାମାନେ ଯେପରି ଉଚ୍ଚଶିକ୍ଷା ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ସଠିକ୍ ମାର୍ଗଦର୍ଶନ ପାଇପାରିବେ, ସେଥିପାଇଁ ସରକାର ଏହି ବିଶେଷ ଯୋଜନା ହାତକୁ ନେଇଛନ୍ତି।ଦେଶର ଯୁବବର୍ଗ ଏବଂ ଛାତ୍ରଛାତ୍ରୀମାନେ ଯେପରି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଘରେ ବସି ସଠିକ୍ ମାର୍ଗଦର୍ଶନ ପାଇପାରିବେ, ସେଥିପାଇଁ ଏକ ବ୍ୟାପକ ମାଗଣା ଅନଲାଇନ୍ କୋଚିଂ ନେଟୱାର୍କ ତିଆରି କରାଯିବ।ଆଗାମୀ ଗୋଟିଏ ବର୍ଷ ଭିତରେ ଦେଶର ୧ କୋଟି ଯୁବକଯୁବତୀଙ୍କୁ ‘ଏଆଇ’ କ୍ଷେତ୍ରରେ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯିବ, ଯାହାଦ୍ୱାରା ସେମାନେ ଆଜିର ଡିଜିଟାଲ୍ ଯୁଗରେ ଆଗାମୀ ଦିନର ରୋଜଗାର ଏବଂ ପ୍ରଯୁକ୍ତିବିଦ୍ୟା ପାଇଁ ପ୍ରସ୍ତୁତ ହୋଇପାରିବେ।ଇଲେକ୍ଟ୍ରୋନିକ୍ସ ଏବଂ ମେଡିକାଲ୍ ଯନ୍ତ୍ରାଂଶ ପାଇଁ ଅତ୍ୟାବଶ୍ୟକ ‘ଚିପ୍’ କ୍ଷେତ୍ରରେ ଦେଶକୁ ସ୍ୱାଧୀନ କରିବା ପାଇଁ ଭାରତ ବର୍ତ୍ତମାନ ୩ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ଆରମ୍ଭ କରିସାରିଥିବାବେଳେ ଆଗକୁ ଆହୁରି ୫ଟି ନୂତନ ସେମିକଣ୍ଡକ୍ଟର ପ୍ଲାଣ୍ଟ ଶୀଘ୍ର ଆରମ୍ଭ ହେବାକୁ ଯାଉଛି।ବିଭିନ୍ନ କ୍ଷେତ୍ରରେ ହାସଲ ହୋଇଥିବା ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ 12 ବର୍ଷ ମଧ୍ୟରେ ପ୍ରତିରକ୍ଷା ଉତ୍ପାଦନ ପ୍ରାୟ ଚାରି ଗୁଣ, ଖଦି ଏବଂ ଗ୍ରାମୋଦ୍ୟୋଗ ଉତ୍ପାଦନ ପ୍ରାୟ ପାଞ୍ଚ ଗୁଣ, ଇଲେକ୍ଟ୍ରୋନିକ୍ ଉତ୍ପାଦନ ପ୍ରାୟ ସାତ ଗୁଣ, ଆଧୁନିକ ରେଳ କୋଚ୍ ନିର୍ମାଣ 21 ଗୁଣ ଏବଂ ମୋବାଇଲ୍ ଫୋନ୍ ଉତ୍ପାଦନ 33 ଗୁଣ ବୃଦ୍ଧି ପାଇଛି। ସେ କହିଛନ୍ତି ଯେ, ଇଣ୍ଟରନେଟ୍ ବ୍ୟବହାରକାରୀ ପ୍ରାୟ ଚାରି ଗୁଣ ଏବଂ ଡିଜିଟାଲ୍ କାରବାର 100 ଗୁଣ ବୃଦ୍ଧି ପାଇଛି।ଶ୍ରୀ ମୋଦୀ କହିଛନ୍ତି ଯେ, ଏନଡିଏ ସରକାର ସାଧାରଣ ଲୋକଙ୍କ କଲ୍ୟାଣ ଏବଂ ସୁବିଧା ପ୍ରତି ଗମ୍ଭୀରତାର ସହିତ କାର୍ଯ୍ୟ କରିଛି। ସେ କହିଛନ୍ତି, ହଜାର ହଜାର ଅନୁପାଳନକୁ ଉଚ୍ଛେଦ କରାଯାଇ ଶହ ଶହ ପୁରୁଣା ଆଇନକୁ ରଦ୍ଦ କରାଯାଇ ଦେଶ ଶାସନରେ ମଧ୍ୟ ଏକ ବିରାଟ ପରିବର୍ତ୍ତନ ଆଣିଛି।











