ଭୁବନେଶ୍ବର : ଅକ୍ଟୋବର ଏକ ତାରିଖ ଅନ୍ତର୍ଜାତୀୟ ବୟୋଜ୍ୟଷ୍ଠ ଉତ୍ସବ । ବୋଉ ଫାଉଣ୍ଡେସନର ରାହା ପ୍ରକଳ୍ପ ଆୟୋଜନ କରୁଛନ୍ତି ବୟୋଜ୍ୟେଷ୍ଠ ଉତ୍ସବ 2026 । ପ୍ରଥମଥର ପାଇଁ ବୟୋଜ୍ୟେଷ୍ଠ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି । ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ବରର 60 ବର୍ଷରୁ ଉର୍ଦ୍ଦ୍ବ ବୟସର ବୟୋଜ୍ୟେଷ୍ଠଙ୍କ ପାଇଁ ସଙ୍ଗୀତ, ନୃତ୍ୟ, ଅଭିନୟ, କବିତା ଓ ଗଳ୍ପ ପ୍ରତିଯୋଗିତା ଆୟୋଜନ କରାଯାଇଛି । ସେପ୍ଟେମ୍ବର 18 ରୁ 24 ତାରିଖ ମଧ୍ୟରେ ରାଜଧାନୀର ବିଭିନ୍ନ ପ୍ରେକ୍ଷାଳୟରେ ଏହି ସବୁ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଭୁବନେଶ୍ବରରେ ବସବାସ କରୁଥିବା ବୟୋଜ୍ୟେଷ୍ଠମାନେ ଏହି ପ୍ରତିଯୋଗିତାରେ ଭାଗ ନେଇ ପାରିବେ । ଏଥିପାଇଁ ଯଦିଓ ପ୍ରବେଶିକା ଦେୟ ପାଞ୍ଚଶହ ଟଙ୍କା ରଖାଯାଇଛି, ମାତ୍ର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ଏହା ଉତ୍ସବ ଶେଷରେ ଫେରାଇବା ବ୍ୟବସ୍ଥା ରହିଛି ।
ବୟୋଜ୍ୟେଷ୍ଠ ଉତ୍ସବ ବୟୋଜ୍ୟେଷ୍ଠମାନଙ୍କର, ବୟୋଜ୍ୟେଷ୍ଠମାନଙ୍କ ପାଇଁ ଏବଂ ବୟୋଜ୍ୟେଷ୍ଠମାନଙ୍କ ଦ୍ବାରା ଆୟୋଜନ କରାଯାଉଛି ବୋଲି ଫାଉଣ୍ଡେସନ ଅଧ୍ୟକ୍ଷ ଅତୀଶ ମହାନ୍ତି କହିଛନ୍ତି । ଏଥିପାଇଁ ପୂର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରସ୍ତୁତି କମିଟି ବୈଠକରେ ଅଧ୍ୟାପକ ବିଶ୍ବରଂଜନ, ଅବସରପ୍ରାପ୍ତ ଆଇଏଏସ ଅରବିନ୍ଦ ବେହେରା, ଅବସରପ୍ରାପ୍ତ ଆଇପିଏସ ସୂର୍ଯ୍ୟନାରାୟଣ ତ୍ରିପାଠୀଙ୍କ ସମେତ ରାଜଧାନୀର ବହୁ ବିଶିଷ୍ଟ ବୁଦ୍ଧିଜୀବୀ ସାମିଲ ହୋଇଥିବା ବେଳେ ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ବିଶିଷ୍ଠ କଥାକାର ଜ୍ଞାନପୀଠ ବିଜେତା ଔପନ୍ୟାସିକ ଡକ୍ଟର ପ୍ରତିଭା ରାୟ, ପୂର୍ବତନ ସାଂସଦ, ବିଧାୟକ ତଥା ବରିଷ୍ଠ ସାମ୍ବାଦିକ ସୌମ୍ୟରଂଜନ ପଟ୍ଟନାୟକ, ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ, ଖ୍ୟାତନାମା ସିନେ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ।












