ଭୁବନେଶ୍ୱର: ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସ୍ଥିତିର ନିରନ୍ତର ତଦାରଖ ଓ ଆବଶ୍ୟକ ସହାୟତା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗର ୪ ଜଣ ବରିଷ୍ଠ ଅଧିକାରୀ ମାନଙ୍କୁ ବିଭିନ୍ନ ବନ୍ୟା ପ୍ରଭାବିତ ଜିଲ୍ଲାରେ ନିୟୋଜିତ କରାଯାଇଛି । ବାଲେଶ୍ୱର ଜିଲ୍ଲା ଦାୟିତ୍ୱ ସ୍ଵତନ୍ତ୍ର ଶାସନ ସଚିବ ଡ. ବିଜୟ ମିଶ୍ର, ଭଦ୍ରକରେ ଡିପିଏଚ୍ ଡ. ରବୀନ୍ଦ୍ର ମିଶ୍ର, କେନ୍ଦୁଝରରେ ଡିଏଫଡବ୍ଲୁ ଡ. ରାଜେନ୍ଦ୍ର ପାଣିଗ୍ରାହୀ ଏବଂ ଯାଜପୁର ଜିଲ୍ଲା ପାଇଁ ଡିଏଚଏସ୍ ଡ. ଏମ୍. ଏମ୍. ପଣ୍ଡାଙ୍କୁ ଦାୟିତ୍ଵ ଦିଆଯାଇଛି l ଆଜି ସକାଳୁ ନିୟୋଜିତ ଅଧିକାରୀମାନେ ନିଜ ନିଜ ଦାୟିତ୍ୱପ୍ରାପ୍ତ ଜିଲ୍ଲା ଅଭିମୁଖେ ଯାତ୍ରା କରି ସେଠାରେ ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସ୍ଥିତି ସମୀକ୍ଷା କରିବା ଆରମ୍ଭ କରିଛନ୍ତି । ବରିଷ୍ଠ ଅଧିକାରୀମାନେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ସ୍ଥାନୀୟ ଅଧିକାରୀମାନଙ୍କ ସହ ସମନ୍ୱୟ ରକ୍ଷା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ ବନ୍ୟା ପରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଯେପରି କୌଣସି ପ୍ରକାରର ମହାମାରୀ ସୃଷ୍ଟି ନହୁଏ, ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଦୀର୍ଘ ସମୟ ଧରି ଜଳମଗ୍ନ ରହିଥିବା ଗ୍ରାମଗୁଡ଼ିକରେ ସ୍ୱଚ୍ଛତା ଓ ସାନିଟାଇଜେସନ୍ କାର୍ଯ୍ୟକୁ ସର୍ବାଧିକ ପ୍ରାଥମିକତା ଦିଆଯିବ। ବନ୍ୟାଜଳ ହଟିବା ପରେ ଜଳମଗ୍ନ ଗ୍ରାମ, ରାସ୍ତାଘାଟ ଓ ସର୍ବସାଧାରଣ ସ୍ଥାନଗୁଡ଼ିକରେ ବ୍ୟାପକ ସଫେଇ କାର୍ଯ୍ୟ ସହ ଜୀବାଣୁମୁକ୍ତ କରିବା ନିମନ୍ତେ ପଦକ୍ଷେପ ନିଆଯିବ l ସେହିପରି ବିଭିନ୍ନ ଜଳବାହିତ ତଥା ସଂକ୍ରାମକ ରୋଗର ନିୟନ୍ତ୍ରଣ, ପାନୀୟ ଜଳର ନିରାପତ୍ତା, ଆବଶ୍ୟକ ଔଷଧର ପର୍ଯ୍ୟାପ୍ତ ମହଜୁଦ ଓ ଉପଲବ୍ଧତା, ଉପଯୁକ୍ତ ଚିକିତ୍ସା ସେବା ପ୍ରଦାନ ଏବଂ ସମ୍ଭାବ୍ୟ ସ୍ୱାସ୍ଥ୍ୟଜନିତ ସମସ୍ୟାର ତ୍ୱରିତ ମୁକାବିଲା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ସମ୍ଭାବ୍ୟ ସ୍ୱାସ୍ଥ୍ୟ ବିପଦକୁ ପୂର୍ବରୁ ଚିହ୍ନଟ କରି ତାହାର ତ୍ୱରିତ ମୁକାବିଲା କରାଯିବ |

LEAVE A REPLY

Please enter your comment!
Please enter your name here