ଭୁବନେଶ୍ୱର:MMDR ୨୦୨୬ସଂଶୋଧନ ବିଲ୍‌କୁ ବିରୋଧ କରି ନବୀନ ପଟ୍ଟନାୟକ ଓଡ଼ିଶାର ସମସ୍ତ ବିଜେପି ସାଂସଦଙ୍କୁ ଏକ ଚିଠି ଲେଖିଛନ୍ତି। ନବୀନ ସାଂସଦମାନଙ୍କୁ ଦଳୀୟ ଆଭିମୁଖ୍ୟରୁ ଉପରକୁ ଉଠି ଓଡ଼ିଶାର ସ୍ୱାର୍ଥ ଓ ଅଧିକାର ରକ୍ଷା ପାଇଁ ଏକଜୁଟ ହେବାକୁ ଆହ୍ୱାନ ଜଣାଇଛନ୍ତି।ନବୀନ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ MMDR ଆଇନରେ କରାଯାଇଥିବା ସଂଶୋଧନ ହେତୁ ରାଜ୍ୟର ରାଜସ୍ୱ ଆଦାୟ କ୍ଷମତା ସଙ୍କୁଚିତ ହେବ। ଏହା ଦ୍ୱାରା ଓଡ଼ିଶା ପ୍ରତିବର୍ଷ ପ୍ରାୟ ୧୨,୦୦୦ କୋଟି ଟଙ୍କାରୁ ଅଧିକ ରାଜସ୍ୱ ହରାଇବ। ଫଳରେ ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି ଓ କଲ୍ୟାଣକାରୀ ଯୋଜନାଗୁଡ଼ିକ ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ସେ ଲେଖିଛନ୍ତି “ଦଳ କୌଣସି ବି ହୋଇଥାଉ, ରାଜ୍ୟର ସ୍ୱାର୍ଥ ସବୁବେଳେ ପ୍ରଥମ।” ଓଡ଼ିଶାରୁ ନିର୍ବାଚିତ ବିଜେପି ସାଂସଦମାନେ ନିଜ ସ୍ୱର ଉତ୍ତୋଳନ କରି କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରନ୍ତୁ ଏବଂ ଏହି ଜନବିରୋଧୀ MMDR ସଂଶୋଧନକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି ଜଣାନ୍ତୁ।ନବୀନ ପଟ୍ଟନାୟକଙ୍କ ଚିଠିର କଡ଼ା ଜବାବ ଦେଇ ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କ ପାଇଁ ପ୍ରଥମେ ଦେଶ ଓ ମାଟି, ତା’ପରେ ପାର୍ଟି ଏବଂ ସବୁଶେଷରେ ବ୍ୟକ୍ତି। ଯେତେବେଳେ ରାଜ୍ୟ କିମ୍ବା ମାଟିର ସ୍ୱାର୍ଥର କଥା ଆସେ, ସେତେବେଳେ ବିଜେପି ସବୁବେଳେ ସଚେତନ ହୋଇ କାର୍ଯ୍ୟ କରେ। ଏଥିପାଇଁ ନବୀନ ବାବୁଙ୍କଠାରୁ ଉପଦେଶ ନେବାର କୌଣସି ଆବଶ୍ୟକତା ଆମର ନାହିଁ।ଏହା ସହିତ ସେ ସମାଲୋଚନା କରି କହିଛନ୍ତି, “ରାଜ୍ୟର ସ୍ୱାର୍ଥ ବଳି ପଡୁଛି କି ନାହିଁ, ସେ ନେଇ ମତାମତ ରଖିବା ପୂର୍ବରୁ ନବୀନ ବାବୁ MMDR ଆକ୍ଟକୁ ଭଲ ଭାବେ ପଢ଼ନ୍ତୁ ଓ ଅଧ୍ୟୟନ କରନ୍ତୁ।

LEAVE A REPLY

Please enter your comment!
Please enter your name here