ରେଳ ହେଲା କାଳ । ପଞ୍ଜାବ ରେଳ ଦୂର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬୧ ଛୁଇଁଛି । ଆଗକୁ ଏହା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି । କାରଣ ଗୁରୁତର ଅବସ୍ଥାରେ ଆହୁରି 72 ଜଣ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି. ଶୁକ୍ରବାର ରେଳ ଟ୍ରାକ ଉପରେ ଛିଡା ହୋଇ କିଛି ଲୋକ ରାବଣ ପୋଡି ଉତ୍ସବ ଦେଖୁଥିବା ସମୟରେ ହଠାତ ଏକ ଦ୍ରୁତଗାମୀ ଟ୍ରେନ ସେମାନଙ୍କ ଉପରକୁ ମାଡିଯାଇଥିଲା । ଜଳନ୍ଧର ଠାରୁ ଅମୃତସର ଅଭିମୂଖେ ଯାଉଥିବା ଟ୍ରେନ ଅମୃତସର ନିକଟରେ ଲୋକଙ୍କ ଉପରକୁ ମାଡ଼ି ଯାଇଥିଲା । ବାଣ ଓ ଆତସବାଜି ଶବ୍ଦରେ ରାବଣ ପୋଡ଼ି ସ୍ଥଳ କମ୍ପି ଉଠୁଥିବା ବେଳେ ଦର୍ଶକମାନେ ଟ୍ରେନ ଆସୁଥିବା ଜାଣିପାରି ନଥିଲେ । ରାବଣ ପୋଡ଼ି ସ୍ଥଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଥିଲା । ନିମିଷକ ମଧ୍ୟରେ ଟ୍ରେନ ଲାଇନର ଉଭୟ ପାଶ୍ୱର୍ରେ ବହୁ ସଂଖ୍ୟାରେ ମୃତଦେହ ବିଛାଇ ହୋଇ ପଡ଼ିଯାଇଥିଲା । ଘଟଣାସ୍ଥଳରେ ହୃଦୟ ବିଦାରକ ଚିତ୍ର ଦେଖିବାକୁ ମିଳିଛି । ଟ୍ରାକ ନିକଟରେ କେବଳ ରକ୍ତ ଓ ମୃତଦେହ ପଡ଼ିଛି ।
ତେବେ ଏନେଇ ପଞ୍ଜାବର ଅଫିସ ଶିକ୍ଷାନୁଷ୍ଠାନ ଆଜି ବନ୍ଦ ରହିଛି । ଅନ୍ୟପଟେ ଦୂର୍ଘଟଣା ପରେ ଆଠଟି ରେଳର ଗତିପଥ ବଦଳାଇଛି ରେଳବାଇ । ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ସମସ୍ତ ଆହତଙ୍କୁ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ମାଗଣାରେ ଚିକିତ୍ସା ସେବା ଯୋଗାଇଦେବାକୁ ଘୋଷଣା କରିଛନ୍ତି । ସେହିପରି କେନ୍ଦ୍ର ସରକାର ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ପଞ୍ଜାବର କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ, ରାଜ୍ୟପାଳ ବିପି ସିଂ ଆହତଙ୍କୁ ଭେଟିବାକୁ ହସ୍ପିଟାଲ ପହଞ୍ଚିଛନ୍ତି । ସହାୟତା ପାଇଁ ହେଲ୍ପ ଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି । ରେଳମନ୍ତ୍ରୀ ପିୟୁଷ ଗୋଏଲ ତାଙ୍କର ସମସ୍ତ କାର୍ୟ୍ୟକ୍ରମ ବାତିଲ କରି ଦେଇଥିବା ସୂଚନା ମିଳିଛି । ଏହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଯାଇଛି । ଏଥିପାଇଁ କଂଗ୍ରେସକୁ ଦାୟୀ କରିଛି ଭାଜପା ।