ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆଜି ଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିକ୍ସ ରାଷ୍ଟ୍ରଗୁଡ଼ିକୁ ସମ୍ବୋଧନ ସହ ସ୍ୱାଗତ କରିଛନ୍ତି । ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ ହେବା କ୍ଷଣି ଭାରତର ବଡ଼ କୂଟନୀତିକ ବିଜୟ ହୋଇଛି। କାରଣ ଭାରତ ଅଧ୍ୟକ୍ଷତାରେ ପ୍ରସ୍ତୁତ ବ୍ରିକ୍ସ ନୂଆଦିଲ୍ଲୀ ଘୋଷଣାପତ୍ରକୁ ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ସବୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସମର୍ଥନକରିଛନ୍ତି । ଘୋଷଣାପତ୍ରରେ ସହମତି ହୋଇଥିବା ବେଳେ ଅପରାହ୍ନ ୪ଟାରେ ବ୍ରିକ୍ସ ନୂଆଦିଲ୍ଲୀ ଘୋଷଣାପତ୍ର ବିଧିବଦ୍ଧ ଭାବେ ସାର୍ବଜନୀନ ବୋଲି ଜଣାପଡ଼ିଛି। ବ୍ରିକ୍ସ ନୂଆଦିଲ୍ଲୀ ଘୋଷଣାପତ୍ରରେ କୌଣସି ଦେଶର ନାଁ ନ ନେଇ ସମସ୍ତ ପ୍ରକାର ଆକ୍ରମଣକୁ ନିନ୍ଦା କରାଯାଇଛି। ବର୍ତ୍ତମାନ ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଜାରି ରହିଥିବା ବେଳେ ଇରାନ ମଧ୍ୟ ବ୍ରିକ୍ସରେ ଯୋଗ ଦେଇଛି। ଭାରତ ସମସ୍ତ ବ୍ରିକ୍ସ ସଦସ୍ୟ ଦେଶକୁ ମିଳିତ ଘୋଷଣାନାମା ପାଇଁ ରାଜି କରାଇବା ଦେଶର କୂଟନୀତିକ ପ୍ରୟାସ କ୍ଷେତ୍ରରେ ବଡ଼ ସଫଳତା। ଯୁଦ୍ଧକୁ ନେଇ ଭାରତର ଦୁଇ ଘନିଷ୍ଠ ସହଯୋଗୀ ଇରାନ ଓ ୟୁଏଇ ମଧ୍ୟରେ ମତଭେଦ ଦେଖାଯାଇଥିଲା। ଏହି ମତଭେଦ ଯୋଗୁ ମିଳିତ ଘୋଷଣାନାମାକୁ ସାର୍ବଜନୀନ କରାଯାଇ ପାରି ନଥିଲା। ଦୁଇ ଦିନିଆ ବୈଠକ ପରେ ବି ଭାରତ ବ୍ରିକ୍ସର ବୈଦେଶିକ ମନ୍ତ୍ରୀମାନଙ୍କ ମଧ୍ୟରେ ଥିବା କୂଟନୀତିକ ଦୂରତାକୁ ଦୂର କରିବାରେ ସଫଳ ହୋଇ ନଥିଲା। କିନ୍ତୁ ଏଥର ସହମତି ହାସଲ ହେବା ଭାରତର କୂଟନୀତିକ ପ୍ରଭାବକୁ ପ୍ରତିଫଳିତ କରୁଛି। ଅନେକ ବିବାଦୀୟ ପ୍ରସଙ୍ଗକୁ ନେଇ ମତଭେଦ ଦେଖାଯାଇଥିଲେ ବି ଭାରତ ନିରନ୍ତର ସମସ୍ତଙ୍କୁ ଏକାଠି କରିବାକୁ କୂଟନୀତିକ ଆଲୋଚନା ଜାରି ରଖିଥିଲା। ଆରମ୍ଭ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମେତ ପ୍ରମୁଖ ଦେଶର ସଦସ୍ୟମାନେ ଉପସ୍ଥିତ ରହିଛନ୍ତି ।











