ବାଲେଶ୍ୱର: ଡିଜିପି-ଇନ୍-ଚାର୍ଜ ବିନୟତୋଷ ମିଶ୍ର କହିଛନ୍ତି ଯେ, ଓଡ଼ିଶାରେ ଗତ ଦୁଇ ବର୍ଷ ମଧ୍ୟରେ ଅପରାଧ ହାର ବଢ଼ିନାହିଁ , ଏହାର ମୁଖ୍ୟ କାରଣ ହେଉଛି ପୋଲିସର କଡ଼ା ଚଢ଼ାଉ ଓ ବିଶେଷ ଅଭିଯାନ । ବାଲେଶ୍ୱରରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, କେବଳ ପଞ୍ଜିକୃତ ମାମଲା ସଂଖ୍ୟା ଦେଖି ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ବିଚାର କରିବା ଠିକ୍ ନୁହେଁ। ବେଆଇନ କାରବାର ବିରୋଧରେ ପୋଲିସ ଅଧିକ ସକ୍ରିୟ ହେବାରୁ ଅଧିକ ମାମଲା ରୁଜୁ ହେଉଛି| “ଆପଣ ବାହାରକୁ ଗଲେ ଏଭଳି ଭୟ କରିବାର ଆବଶ୍ୟକ ନାହିଁ ଯେ ଆପଣଙ୍କ ଭଉଣୀ କିମ୍ବା ମା’ ସୁରକ୍ଷିତ ରହିବେ ନାହିଁ। ଦୁଇ ବର୍ଷର ତଥ୍ୟ ମୁଁ ଯାଞ୍ଚ କରିଛି, ଅପରାଧ ହାର ବଢ଼ିନାହିଁ,” ବୋଲି କହିଛନ୍ତି ବିନୟତୋଷ ମିଶ୍ର। ଡିଜିପିଙ୍କ କହିବା ଅନୁସାରେ, ଗତ ଦୁଇ ବର୍ଷ ଧରି ମଦ୍ୟପ ଗାଡ଼ି ଚାଳନା ବିରୋଧରେ ବ୍ୟାପକ ଅଭିଯାନ ଚାଲିଛି। ଏହାର ପ୍ରଭାବରେ ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣରେ ଆସିଛି। ସେହିପରି ‘ନିଶାମୁକ୍ତ’ ଅଭିଯାନ ଯୋଗୁଁ ମଧ୍ୟ ବିଭିନ୍ନ ମାଦକ ସମ୍ପର୍କିତ ଅପରାଧ ଚିହ୍ନଟ ବଢ଼ିଛି। କଡ଼ା ଯାଞ୍ଚ ଫଳରେ କେତେକ ବର୍ଗରେ ୨୦ ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ମାମଲା ଧରାପଡ଼ିଛି। ବାଲେଶ୍ୱର ଜିଲ୍ଲାରେ ଗତ ଦୁଇ ବର୍ଷରେ ପ୍ରାୟ ୭୦୦ଟି ବେଆଇନ ବାଲି ଖନନ ମାମଲା ରୁଜୁ ହୋଇଛି। ଏହାଛଡ଼ା ଆର୍ମ୍ସ ଆକ୍ଟ ଅନୁସାରେ ଚଳିତ ବର୍ଷ ୫୪ଟି ମାମଲା ରୁଜୁ ହୋଇଥିବା ବେଳେ ବେଆଇନ କାର୍ଯ୍ୟକଳାପ ବିରୋଧରେ ପୋଲିସର ଅଭିଯାନ ଆଗକୁ ମଧ୍ୟ ଜାରି ରହିବ।

LEAVE A REPLY

Please enter your comment!
Please enter your name here