ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ସମସ୍ତ ୨୧ ସଦସ୍ୟ ଦେଶ ଏକମତ ହୋଇ ‘ନୂଆଦିଲ୍ଲୀ ଘୋଷଣା-୨୦୨୬’ ଗ୍ରହଣ କରିଛନ୍ତି। ଏହି ଘୋଷଣାରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରାଯାଇଛି। ରୁଷ ଓ ଚୀନ୍ ସମେତ ବ୍ରିକ୍ସର ସମସ୍ତ ସଦସ୍ୟ ଦେଶ ଆତଙ୍କବାଦର ସମସ୍ତ ରୂପ ଓ ପ୍ରକାର ବିରୋଧରେ ଦୃଢ଼ ମତ ପ୍ରକାଶ କରିଛନ୍ତି। ଆତଙ୍କବାଦର ଉଦ୍ଦେଶ୍ୟ ଯାହା ହେଉନା କାହିଁକି, ଏହାକୁ ଅପରାଧ ଓ ଅନ୍ୟାୟ ବୋଲି ବିବେଚନା କରାଯିବ ବୋଲି ସଦସ୍ୟ ଦେଶଗୁଡ଼ିକ ସ୍ପଷ୍ଟ କରିଛନ୍ତି। ଏଥିସହ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ବା ଟେରର ଫଣ୍ଡିଂ ବନ୍ଦ କରିବା ନେଇ ମଧ୍ୟ ସହମତି ଦେଇଛନ୍ତି । ବ୍ରିକ୍ସର ମିଳିତ ଘୋଷଣାରେ ୨୨ ଏପ୍ରିଲ ୨୦୨୫ରେ ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ କଡ଼ା ଭାବେ ନିନ୍ଦା କରାଯାଇଛି। ଘୋଷଣାରେ କୁହାଯାଇଛି ଯେ, କେବେ, କେଉଁଠି କିମ୍ବା କାହା ଦ୍ୱାରା ଆତଙ୍କବାଦୀ ଘଟଣା ଘଟାଯାଉନା କାହିଁକି, ଏହାକୁ ଅପରାଧିକ ଓ ଅନ୍ୟାୟପୂର୍ଣ୍ଣ ଘଟଣା ଭାବେ ବିବେଚନା କରାଯିବ। ଆତଙ୍କବାଦୀଙ୍କ ସୀମାପାର ଯାତାୟାତ, ଆତଙ୍କବାଦ ପାଇଁ ଅର୍ଥ ଯୋଗାଣ ଏବଂ ଆତଙ୍କବାଦୀଙ୍କୁ ସୁରକ୍ଷିତ ଆଶ୍ରୟ ପ୍ରଦାନ ଭଳି ସମସ୍ତ ପ୍ରକାରର ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ମିଳିତ ଭାବେ ଲଢ଼ିବାକୁ ଦେଶଗୁଡ଼ିକ ପ୍ରତିବଦ୍ଧତା ଦୋହରାଇଛନ୍ତି।ଆତଙ୍କବାଦକୁ କୌଣସି ଧର୍ମ, ଜାତୀୟତା, ସଭ୍ୟତା କିମ୍ବା ଜାତିଗତ ଗୋଷ୍ଠୀ ସହ ଯୋଡ଼ିବା ଠିକ୍ ନୁହେଁ ବୋଲି ଘୋଷଣାରେ କୁହାଯାଇଛି। ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିବା କିମ୍ବା ଆତଙ୍କବାଦକୁ ସମର୍ଥନ କରୁଥିବା ସମସ୍ତଙ୍କୁ ଉତ୍ତରଦାୟୀ କରାଯିବା ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ନ୍ୟାୟିକ ପ୍ରକ୍ରିୟାର ସମ୍ମୁଖୀନ କରାଯିବା ଆବଶ୍ୟକ ବୋଲି ବ୍ରିକ୍ସ ଦେଶଗୁଡ଼ିକ କହିଛନ୍ତି।











