ନୂଆଦିଲ୍ଲୀ: ଆରବ ସାଗରରେ ଭାରତ ଜାହାଜ ସହିତ ପାକିସ୍ତାନ ଜାହାଜ ଧକ୍କା ହୋଇଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବାବେଳେ ଭାରତ ଏହାକୁ ଅତି ଗମ୍ଭୀରତାର ସହିତ ନେଇ ଦିଲ୍ଲୀସ୍ଥିତ ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ଅବଗତ କରାଇଛି । ସୂଚନା ଥାଉ ଯେ, ଗତକାଲି ସନ୍ଧ୍ୟାରେ ଆରବ ସାଗରରେ ଭାରତୀୟ ନୌସେନା ଯୁଦ୍ଧ ଜାହାଜ ନିୟମିତ ସୁରକ୍ଷା ପ୍ରଦାନ କରୁଥିବାବେଳେ ଏକ ପାକିସ୍ତାନୀ ନୌସେନା ଜାହାଜ ବାରମ୍ବାର ନିଜର ଗତି ବଦଳାଇବା ସହିତ କ୍ଷିପ୍ର ଗତିରେ ଆସି ଧକ୍କା ଦେଇଥିଲା । ଆଜି ପାକିସ୍ତାନ ଉଚ୍ଚ ଆୟୁକ୍ତଙ୍କୁ ବୈଦେଶିକ ମନ୍ତ୍ରାଳୟ କାର୍ଯ୍ୟାଳୟକୁ ଡକରା ହୋଇଥିଲା । ଭାରତ ଏଭଳି ଆଚରଣକୁ ନିନ୍ଦା କରିବା ସହିତ ଚେତାବନୀ ମଧ୍ୟ ଦେଇଛି । ୧୯୯୧ ମସିହା ଚୁକ୍ତିର ସିଧାସଳଖ ଉଲ୍ଲଂଘନ ଅଟେ । ସାମରିକ ଅଭ୍ୟାସ, ଯୁଦ୍ଧାଭ୍ୟାସ ଏବଂ ସୈନ୍ୟ ଗତିବିଧି ସମ୍ପର୍କରେ ଅଗ୍ରିମ ସୂଚନା ଚୁକ୍ତିନାମାର ଧାରା ୧୦ ର ସିଧାସଳଖ ଉଲ୍ଲଂଘନ କରୁଛି। । ଏହି ଚୁକ୍ତିର ଧାରା ୧୦ ଅନୁଯାୟୀ ଦୁଇ ପକ୍ଷର ସାବଧାନତା ଅବଲମ୍ବନ ସହିତ ସମସ୍ତ ନିୟମକୁ ପାଳନ କରିବେ । ଭାରତ କହିଛି ଯେ ଦୁଇ ଦେଶର ସୈନ୍ୟ ସାବଧାନତା ଅବଲମ୍ବନ କରିବା ଉଚିତ । ଆଗାମୀରେ ଦିନରେ ଯେପରି ଏପରି ଘଟଣାର ପୁନରାବୃତ୍ତି ନ ହୁଏ ସେଥିପ୍ରତି ସଜାଗ ହେବାକୁ କହିଛି । ଏ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ବିଭାଗରେ ଅଭିଯୋଗ କରିବାକୁ ଇସଲାମାବାଦସ୍ଥିତ ଭାରତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।









