ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ‘ଯଶୋଭୂମି’ଠାରେ ଅନୁଷ୍ଠିତ ଗ୍ଲୋବାଲ୍ ଇଭେଣ୍ଟ ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେପ୍ଟେମ୍ବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନିଦିନିଆ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ଭାରତ ସମେତ ୫୨ଟି ଦେଶର ୬୦୦ରୁ ଅଧିକ କମ୍ପାନୀ ଓ ଷ୍ଟାର୍ଟଅପ୍‌ ଅଂଶଗ୍ରହଣ କରିଛନ୍ତି। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମର ମୂଳ ବିଷୟବସ୍ତୁ ରହିଛି ‘ସିଲିକନ୍‌ ସିଷ୍ଟମ୍‌ସ: ବିଲ୍ଡିଂ ଦ ଇକୋ ସିଷ୍ଟମ’। ଭାରତରେ ସେମିକଣ୍ଡକ୍ଟର ପରିବେଶକୁ ମଜବୁତ କରିବା ଏବଂ ‘ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ୍ ୨.୦’କୁ ଆଗକୁ ନେବା ଏହାର ମୁଖ୍ୟ ଲକ୍ଷ୍ୟ। ଚିପ୍ ଫ୍ୟାବ୍ରିକେସନ୍‌ଠାରୁ ଆରମ୍ଭ କରି ଯୋଗାଣ ଶୃଙ୍ଖଳା ପର୍ଯ୍ୟନ୍ତ ଭାରତର ଦକ୍ଷତା ବୃଦ୍ଧି କରିବା ଉପରେ ଏଥିରେ ପ୍ରାଧାନ୍ୟ ଦିଆଯାଉଛି। ଏହି କାର୍ଯ୍ୟକ୍ରମରେ ୪୦୦ରୁ ଅଧିକ ବିଶେଷଜ୍ଞ, ନୀତି ନିର୍ମାତା, ନିବେଶକ, ଗବେଷକ ଓ ଶିଳ୍ପ ନେତୃବୃନ୍ଦ ଯୋଗଦେଉଛନ୍ତି। ୧୫ ହଜାର ବର୍ଗ ମିଟର ପରିମିତ ପ୍ରଦର୍ଶନୀ ମଣ୍ଡପରେ ପ୍ରାୟ ୩୦୦ଟି ଆନ୍ତର୍ଜାତୀୟ କମ୍ପାନୀ ନିଜର ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରୁଛନ୍ତି। ଦେଶର ୬୫୦ରୁ ଅଧିକ ଶିକ୍ଷାନୁଷ୍ଠାନର ହଜାର ହଜାର ଛାତ୍ରଛାତ୍ରୀ ଆଭାସୀ ମାଧ୍ୟମରେ ଏହି ସମ୍ମିଳନୀ ସହ ଯୋଡ଼ିହୋଇଛନ୍ତି।

LEAVE A REPLY

Please enter your comment!
Please enter your name here