ଭୁବନେଶ୍ୱର: ଚୌଦ୍ବାର ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳ ଗିରଫ । ଚୌଦ୍ୱାର ଜେଲରୁ ଦୁଇ ବିହାରୀ କଏଦୀ ଫେରାର ମାମଲାରେ ରବିବାର ଦିନ ତାଙ୍କୁ ଗିରଫ କରିଛି ପୋଲିସ । ହାଇକୋର୍ଟରେ ମଧ୍ୟ ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ ହୋଇଥିଲା । ସୂଚନା ଅନୁଯାୟୀ ୨୦୨୫ ଅକ୍ଟୋବର ୨ ତାରିଖରେ ଦୁର୍ଗାପୂଜା ଚାଲିଥିବା ସମୟରେ ଚୌଦ୍ୱାର ଜେଲ୍ରୁ ଦୁଇ ବିଚାରାଧୀନ ବିହାରୀ କଏଦୀ ରାଜା ସାହାଣୀ ଓ ମଧୁକାନ୍ତ କୁମାର ଫେରାର ହୋଇଯାଇଥିଲେ ।ସେମାନଙ୍କୁ ଧରିବା ପାଇଁ ଟିମ୍ ଗଠନ କରାଯାଇଥିଲା । ଏପରିକି ତତ୍କାଳୀନ ଜେଲର ସନ୍ତୋଷିନୀ ଦାଶଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବା ସହ ତାଙ୍କର ବଦଳି ହୋଇଥିଲା । ଏହାପରେ ସେ ସୁଜିତ କୁମାର ରାଉଳଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ସନ୍ତୋଷିନୀଙ୍କ ଅଭିଯୋଗ କରିଥିଲେ ଯେ, ଜେଲ୍ରୁ କଏଦୀ ଫେରାର ହେବା ପରେ ତାଙ୍କ ଦସ୍ତଖତକୁ ମିନିଟ୍ ବୁକ୍ରେ ଜାଲ୍ କରାଯାଇଥିଲା । ଏହାସହ ଅକ୍ଟୋବର ୧, ୨ ଓ ୩ ତାରିଖର ଗେଟ୍ ଇନ୍-ଆଉଟ୍ ରେଜିଷ୍ଟରରେ ମଧ୍ୟ ହେରଫେର କରାଯାଇଥିବାର ସେ ଅଭିଯୋଗ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ, ରେକର୍ଡରେ ଏଭଳି ହେରଫେର କରି ଦାୟିତ୍ୱ ଅନ୍ୟ ଜଣଙ୍କ ଉପରେ ଠେଲିବାକୁ ଚେଷ୍ଟା କରାଯାଇଥିଲା । ଏହି ଅଭିଯୋଗ ଆଧାରରେ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା ।












