ଭୁବନେଶ୍ୱର: ଭାରତ ସରକାର, ଭାରତୀୟ ବନ୍ଦର ଆଇନ ୨୦୨୫ ଧାରା ୭୩ର ଉପ-ଧାରା(୧) ଅନୁଯାୟୀ ନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ ପାରାଦୀପ ବନ୍ଦରକୁ ଆନୁଷ୍ଠାନିକ ଭାବରେ “ମେଗା ବନ୍ଦର” ଭାବରେ ମନୋନୀତ କରିଛନ୍ତି । ଏନେଇ ଶୁକ୍ରବାର ବନ୍ଦର ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।ନିର୍ଦ୍ଧାରିତ କାର୍ଯ୍ୟକ୍ଷମ ମାନଦଣ୍ଡରେ ମୂଲ୍ୟାଙ୍କନ ପରେ ଚାରୋଟି ବନ୍ଦରକୁ “ମେଗା ବନ୍ଦର” ଭାବରେ ମନୋନୀତ କରାଯାଇଛି । ଦୀନଦୟାଲ ବନ୍ଦର (କାଣ୍ଡଲା), ଜବାହରଲାଲ ନେହେରୁ ବନ୍ଦର (ନଭ ସେବା), ପାରାଦୀପ ବନ୍ଦର ଏବଂ ମୁନ୍ଦ୍ରା ବନ୍ଦରକୁ ମିଳିଛି ମେଗା ବନ୍ଦର ମାନ୍ୟତା। ପୂର୍ବ ଉପକୂଳର ଏକମାତ୍ର ମେଗା ବନ୍ଦର ଭାବେ ପାରାଦୀପ ଏହି ମାନ୍ୟତା ପାଇଛି । ଏହି ଘୋଷଣା ପରେ ପୂର୍ବ ଉପକୂଳରେ ପାରାଦ୍ଵୀପ ଏବେ ପ୍ରମୁଖ ସାମୁଦ୍ରିକ ପ୍ରବେଶ ଦ୍ଵାର ହୋଇଛି । ଏହାଦ୍ବାରା ସାମୁଦ୍ରିକ ଭିତ୍ତିଭୂମି ସୁଦୃଢ ହେବ, ବାଣିଜ୍ୟ ଓ ସଂଯୋଗୀକରଣ ମଧ୍ୟ ବ୍ୟାପକ ହେବ।











