ନୂଆଦିଲ୍ଲୀ: ସିଜେପିର ଆନ୍ଦୋଳନକୁ ଫ୍ଲପ ଶୋ’ ବୋଲି କହିଛି ବିଜେପି। ଆଜି ସିଜେପି ଯନ୍ତରମନ୍ତରରେ ଜ୍ଞାନେଶଙ୍କ ଇସ୍ତଫା ଦାବିରେ ବିଶାଳ ବିକ୍ଷୋଭ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଥିଲା। ହେଲେ ପୋଲିସ୍ ପ୍ରାୟ ୨ ହଜାର ବିକ୍ଷୋଭକାରୀଙ୍କୁ ଦିଲ୍ଲୀର ବିଭିନ୍ନ ସ୍ଥାନରୁ ଉଠାଇ ନେଇଥିଲା । ସେହିପରି ଯନ୍ତରମନ୍ତରରେ ୧୬୩ ବିଏନଏସ୍ ଲାଗୁ କରି ପୋଲିସ୍ କାହାକୁ ବି ଆନ୍ଦୋଳନ କରିବାକୁ ଦେଇ ନାହିଁ। ବିକ୍ଷୋଭକାରୀ ଯନ୍ତରମନ୍ତରରେ ପହଞ୍ଚି ପାରି ନଥିବାରୁ ଏହା ବିଫଳ ହୋଇଥିବା ଦାବି କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବିଦେଶ ଶକ୍ତି ବଳରେ ଅରାଜକତାର ପ୍ରଚାର କରୁଥିବା ମଧ୍ୟ ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି। ପୁରୀ ସାଂସଦ ସମ୍ବିତ ପାତ୍ର ଦାବି କରିଛନ୍ତି ଯେ ଭିଡ଼ତନ୍ତ୍ର ଉପରେ ଏହା ଗଣତନ୍ତ୍ରର ବିଜୟ। ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ପାତ୍ର ସିଧାସଳଖ ରାହୁଲ ଗାନ୍ଧିଙ୍କୁ ଆକ୍ଷେପ କରିଛନ୍ତି । ଶ୍ରୀ ପାତ୍ର କହିଛନ୍ତି, “ହିଂସାକୁ ଉସକାଇବା, ଧସ୍ତାଧସ୍ତି ହେବା ଓ ରାସ୍ତାରେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିବାକୁ ଏଠାରେ ଉଦ୍ୟମ ଚାଲିଛି।ହେଲେ ଏହା ଫ୍ଲପ ଶୋ’ ସାବ୍ୟସ୍ତ ହୋଇଛି। ଦିଲ୍ଲୀରେ ହଜାର ହଜାର ସୁରକ୍ଷାକର୍ମୀ ବିଭିନ୍ନ ସ୍ଥାନରେ ମୁତୟନ ହୋଇଥିବାବେଳେ ବିଭିନ୍ନ ସ୍ଥାନରୁ ସିଜେପି ସମେତ ରାଜନୀତିକ ଦଳ ଓ ଛାତ୍ର ସଂଗଠନର ନେତାମାନଙ୍କୁ ପୋଲିସ୍ ଉଠାଇବାରେ ଲାଗିଥିଲା । କାହାକୁ ବି ଯନ୍ତରମନ୍ତର ଛଡ଼ା ଯାଉ ନ ଥିଲା ।









