ଜୟପୁର(ଏଜେନ୍ସି): ଦେଶ ସୁରକ୍ଷାରେ ସହିଦ୍ ହୋଇଥିବା ଜଣେ ଯବାନ୍ଙ୍କ ୫ମାସର ଶିଶୁକନ୍ୟାକୁ ନିଜ ବାପାଙ୍କ କଫିନ୍ ପାଖରେ କାନ୍ଦୁଥିବାର ଦାରୁଣ ଦୃଶ୍ୟ ଯେକୌଣସି ବ୍ୟକ୍ତିର ହୃଦୟ ଆନେ୍ଦାଳିତ ହୋଇଉଠିବ । ମାତ୍ର ଭାଗ୍ୟର ବିଡମ୍ବନା, ରାଜସ୍ଥାନର ଝଲାୱାର ଜିଲ୍ଲା ଅନ୍ତର୍ଗତ ଲାଦାନିଆ ଗ୍ରାମବାସୀ ଏସବୁ ଦୃଶ୍ୟ ଦେଖିବାକୁ ବାଧ୍ୟ ହୋଇଛନ୍ତି । ୨ଦିନ ତଳେ କାଶ୍ମୀରରେ ଆତଙ୍କବାଦୀଙ୍କ ସହ ଲଢ଼ି ଆର୍ମି ପାରାକମାଣ୍ଡୋ ମୁକୁତ ବିହାରୀ ମୀନା ବୀରଗତିକୁ ପ୍ରାପ୍ତ ହୋଇଥିଲେ । ତେବେ ତାଙ୍କ ମୃତଦେହକୁ ସସମ୍ମାନେ ଏକ କଫିନ୍ ମଧ୍ୟରେ ରଖି ସେନା ପକ୍ଷରୁ ତାଙ୍କ ଗାଁରେ ପହଞ୍ଚାଯିବା ପରବର୍ତ୍ତୀ ଦୃଶ୍ୟ ଅତ୍ୟନ୍ତ ଲୋମହର୍ଷକ ସାଜିଥିଲା । ଗାଁରେ ସଭିଙ୍କ ଆଖିରେ ଦୁଃଖର ଲୁହ ବନ୍ଧବାଡ ମାନୁନଥିବା ବେଳେ ମୀନାଙ୍କ ନବଜାତକ ଶିଶୁକନ୍ୟା ତାଙ୍କ କଫିନ୍ ପାଖରେ ବସି କାନ୍ଦୁଥିବା ଓ ଗଡୁଥିବାର ଦୃଶ୍ୟ ପରିବେଶକୁ ଆହୁରି ଅସନ୍ତୁଳିତ କରିପକାଇଥିଲା । ଏହାପରେ ପରେ ଶିଶୁକନ୍ୟା ନିଜ ଜେଜେବାପା ଜଗନ୍ନାଥଙ୍କ ସହ ଦିବଂଗତ ବାପାଙ୍କୁ ମୁଖାଗ୍ନି ଦେବା ଦୃଶ୍ୟ ଉପସ୍ଥିତ ସାଧାରଣ ଲୋକଙ୍କ ସହ ସେନା ଯବାନଙ୍କ ପାଇଁ ମଧ୍ୟ ଅତ୍ୟନ୍ତ କଷ୍ଟକର ହୋଇପଡିଥିଲା । ଝଲାୱାର ଜିଲ୍ଲାପାଳ ଜିତେନ୍ଦ୍ର ସୋନୀ ଏବଂ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ଉପସ୍ଥିତିରେ ସହିଦ୍ଙ୍କୁ ଅନ୍ତିମ ବିଦାୟ ଦିଆଯାଇଥିଲା । ପରେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଆଶ୍ୱାସନା ଦେଇ ସମସ୍ତେ ଫେରିଯାଇଥିଲେ । କିନ୍ତୁ ସବୁଦିନ ପାଇଁ ବାପା ଛେଉଣ୍ଡ ହୋଇଯାଇଥିବା ୫ମାସର ଶିଶୁ କନ୍ୟାର କାନ୍ଦ ବନ୍ଦ ହୋଇନଥିଲା । ଏସବୁ ଘଟଣା ସମ୍ପର୍କରେ ସେ ସମ୍ପୂର୍ଣ୍ଣ ଅନଭିଜ୍ଞ ହୋଇଥିଲେ ମଧ୍ୟ ସଂସାରରେ ତା’ ପାଇଁ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଯାଇଛି ବୋଲି ବୋଧହୁଏ ସେ ବୁଝିପାରୁଥିଲା । ସେ ଆଗକୁ କେବେ ଆଉ ନିଜ ବାପାଙ୍କୁ ଦେଖିବାକୁ ପାଇବନି, ବାପା କୋଳରେ ବସି ଗେହ୍ଲା ହୋଇପାରିବନି ବୋଲି ବୋଧହୁଏ ଜାଣିପାରୁଥିଲା । ଏସବୁ ଘଟଣାକ୍ରମର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହାକୁ ଦେଖି ସହିଦ୍ଙ୍କ ପରିବାର ଲୋକଙ୍କ ନିକଟକୁ ଆଶ୍ୱାସନା ଏବଂ ଶିଶୁ କନ୍ୟାକୁ ଆଶିର୍ବାଦର ସୁଅ ଛୁଟିଛି । ସହିଦ୍ଙ୍କ ପରିବାର ଲୋକଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ରାଜସ୍ଥାନ ସରକାର ଏବଂ ଝଲୱାର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସହିଦ୍ଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇସାରିଥିବା ସୂଚନା ମିଳିଛି । ସେନା ପକ୍ଷରୁ ମଧ୍ୟ ସହିଦ୍ଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here