ଭୁବନେଶ୍ୱର: ଟ୍ରକ୍ ମାଲିକ ସଂଘର କୋଟି କୋଟି ଟଙ୍କା ଆତ୍ମସାତ୍ ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ନେକାଣ୍ଟି ଭାସ୍କର ରାଓଙ୍କ ରାୟଗଡ଼ା ଏବଂ ବିଶାଖାପାଟଣା ସ୍ଥିତ ବାସଭବନ ସମେତ ୧୧ଟି ସ୍ଥାନରେ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି । ଇଓଡବ୍ଲ୍ୟୁ ପକ୍ଷରୁ ପ୍ରେସ ରିଲିଜରେ ଦିଆଯାଇଥିବା ସୂଚନା ଅନୁସାରେ, ଅତିରିକ୍ତ ଏସ୍ପି ଆଶିଷ କୁମାର ମିଶ୍ରଙ୍କ ନେତୃତ୍ୱରେ ଗଠିତ ଟିମ୍ରେ ୫ ଜଣ ଲେଖାଏଁ ଡିଏସ୍ପି ଏବଂ ଇନ୍ସପେକ୍ଟର ସାମିଲ ଅଛନ୍ତି । ଗତ ବୁଧବାର ଠାରୁ ଗୋଟିଏ ଟିମ୍ ରାୟଗଡ଼ାରେ ପହଞ୍ଚି ସ୍ଥାନୀୟ ଥାନାରୁ ସମସ୍ତ କାଗଜପତ୍ର ସଂଗ୍ରହ କରିଥିଲା । ଏହାପରେ ଗୁରୁବାର ଅନ୍ୟ ଏକ ବଡ଼ ଟିମ୍ ପହଞ୍ଚି ତଦନ୍ତକୁ ଜୋର୍ଦାର କରିଛନ୍ତି । ଦୁଇ ଦିନ ଧରି ରାୟଗଡ଼ାରେ ରହି ଆର୍ଥିକ ଅନିୟମିତତାର ତର୍ଜମା କରିବା ପରେ ଆଜି ସକାଳୁ EOW ଟିମ୍ ସିଧାସଳଖ ପୂର୍ବତନ ସାଂସଦଙ୍କ ଘରେ ପଶି ତଲାସି ଅଭିଯାନ ଆରମ୍ଭ କରିଛନ୍ତି । ଘରୁ ବହୁ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ଯାଞ୍ଚ କରିବା ସହ ସେଗୁଡ଼ିକୁ ଜବତ କରାଯିବ ବୋଲି ଜଣାପଡ଼ିଛି । ବର୍ତ୍ତମାନ ପୂର୍ବତନ ସାଂସଦ ରାଓ ରାୟଗଡ଼ାରେ ଅନୁପସ୍ଥିତ ଥିବା ଜଣାପଡ଼ିଛି । ଇଓଡବ୍ଲ୍ୟୁ ଟିମ୍ ତାଙ୍କ ବାସଭବନରେ ଉପସ୍ଥିତ ଥିବା କିଛି ସହାୟକଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରୁଛନ୍ତି । ଅଭିଯୋଗ ଅନୁଯାୟୀ, ରାୟଗଡ଼ା ଟ୍ରକ୍ ମାଲିକ ସଂଘର କିଛି କର୍ମକର୍ତ୍ତାଙ୍କ ବିରୋଧରେ ବ୍ୟାପକ ଆର୍ଥିକ ଅନିୟମିତତା, ଅର୍ଥ ହଡ଼ପ, ବଟି ଆଦାୟ ଏବଂ ଧମକଚମକ ଦେବା ଭଳି ଅଭିଯୋଗ ରହିଛି । ମାମଲାର ମୁଖ୍ୟ ଅଭିଯୁକ୍ତ ଅନ୍ୟ କିଛି ସଂଘ କର୍ମକର୍ତ୍ତାଙ୍କ ସହ ମିଶି ୨୦୦୫ ମସିହାରୁ ଟ୍ରକ୍ ମାଲିକମାନଙ୍କଠାରୁ ବିଭିନ୍ନ ଆଳରେ ଟଙ୍କା ଆଦାୟ କରାଯାଇଥିଲା । ଏପରିକି ନକ୍ସଲ କାର୍ଯ୍ୟକଳାପକୁ ଅର୍ଥ ଯୋଗାଇବା ନାଁରେ ମଧ୍ୟ ଟଙ୍କା ସଂଗ୍ରହ କରାଯାଉଥିବା ଅଭିଯୋଗ ରହିଛି । ଏହି ଅର୍ଥର ପରିମାଣ ବେଶ୍ ଅଧିକ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଏହାର କୌଣସି ସଠିକ୍ ହିସାବ ରଖାଯାଇନଥିଲା । ଏପରିକି ଟଙ୍କା ଆଦାୟ ସମୟରେ ରସିଦ୍ ଦିଆଯାଉନଥିଲା । ଏଥିସହ ସଂଗ୍ରହ ହୋଇଥିବା ଅର୍ଥକୁ ହଡ଼ପ କରି ବିଭିନ୍ନ ଘରୋଇ ବ୍ୟବସାୟିକ ସଂସ୍ଥାରେ ନିବେଶ କରାଯାଇଥିଲା । ଏଥିରେ ଲଜିଷ୍ଟିକ୍ସ, ଟ୍ରେଡିଂ, ଖଣି ଏବଂ ରିଅଲ୍ ଇଷ୍ଟେଟ୍ ସମ୍ପର୍କିତ କମ୍ପାନୀ ଗୁଡ଼ିକ ସାମିଲ ଥିବା କୁହାଯାଉଛି । ସଂଘର ସଭାପତି ସ୍ୱର୍ଗତ ୱାଇ. ଭେଙ୍କଟେଶ୍ୱର ରାଓ ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓ ଏବଂ ଅନ୍ୟମାନଙ୍କ ବିରୋଧରେ ରାୟଗଡ଼ା ପୋଲିସରେ ଅଭିଯୋଗ କରିଥିଲେ ।











