ଭୁବନେଶ୍ୱର: ରାଜ୍ୟର ଅସହାୟ, ଅନାଥ ଓ କୋଭିଡରେ ପିତାମାତାଙ୍କୁ ହରାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ବୈଷୟିକ ଶିକ୍ଷା ଯୋଗାଇ ଦେବାକୁ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ‘ଗ୍ରୀନ ପାସେଜ୍’ ଯୋଜନା କାର୍ଯ୍ୟକାରୀ ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ତଥା ନିର୍ଦ୍ଦେଶାବଳୀ ଆଧାରରେ ଏବେ ସମସ୍ତ ସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଇଞ୍ଜିନିୟରିଂ କଲେଜରେ ଏହି ଯୋଜନା ଲାଗୁ ହେବାକୁ ଯାଉଛି। ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆଜି ପ୍ରକାଶିତ ବିଧିବଦ୍ଧ ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସରକାର ଏହି ‘ଗ୍ରୀନ ପାସେଜ୍’ ଯୋଜନାକୁ ବିପିୟୁଟି ରାଉରକେଲା, ଭିସୁଟ ବୁର୍ଲା, ଓୟୁଟିଆର ଭୁବନେଶ୍ୱର, ଆଇଜିଆଇଟି ସାରଙ୍ଗ, ବିପିଏଫଟିଆଇଓ କଟକ, ପିଏମଇସି ବ୍ରହ୍ମପୁର, କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜ, କଳାହାଣ୍ଡି ସରକାରୀ ଇଞ୍ଜିନିୟରିଂ କଲେଜ ଓ ଆଇଏମଆଇଟି କଟକ ଭଳି ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନରେ ତୁରନ୍ତ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନାର ସମସ୍ତ ବ୍ୟୟଭାର ନିଜର ଜିଆଇଏ (ଜେନେରାଲ) ପାଣ୍ଠିରୁ ସମ୍ପୃକ୍ତ ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ବହନ କରିବେ ବୋଲି ସ୍ପଷ୍ଟ କରାଯାଇଛି। ଏହି ‘ଗ୍ରୀନ୍ ପାସେଜ୍’ ଯୋଜନାରେ ଅନାଥ ଓ ନିରାଶ୍ରୟ ଛାତ୍ରଛାତ୍ରୀଙ୍କୁ ଶତପ୍ରତିଶତ ମାଗଣା ଶିକ୍ଷାଦାନ ସହ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦିଆଯିବ। ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ କଲେଜରେ ନାମଲେଖାଠାରୁ ଆରମ୍ଭ କରି ପାଠପଢ଼ା ଶେଷ ହେବା ପର୍ଯ୍ୟନ୍ତ କୌଣସି ପ୍ରକାର ଫି’ ଦେବାକୁ ପଡ଼ିବ ନାହିଁ। ସେମାନଙ୍କର ଆବେଦନ ଫି’, ନାମଲେଖା ଓ ରିଆଡ଼ମିଶନ ଫି’, ଟ୍ୟୁସନ ଫି’, ପରୀକ୍ଷା ଫି’, ହଷ୍ଟେଲ ନାମଲେଖା ଫି’, ଲାବୋରେଟୋରୀ ଫି’, ଲାଇବ୍ରେରୀ ଫି’ ଓ କଲେଜ ଡେଭଲପମେଣ୍ଟ ଫି’ ସମ୍ପୂର୍ଣ୍ଣ ଛାଡ଼ କରାଯିବ। ଏହାବ୍ୟତୀତ ଏହି ଯୋଜନାରେ ସମ୍ପୃକ୍ତ ଛାତ୍ରଛାତ୍ରୀମାନଙ୍କୁ କଲେଜ କ୍ୟାମ୍ପସରେ ସମ୍ପୂର୍ଣ୍ଣ ମାଗଣା ରହଣି ଓ ମାଗଣା ଖାଦ୍ୟପେୟର ସୁବିଧା ମଧ୍ୟ ଶିକ୍ଷାନୁଷ୍ଠାନ ଯୋଗାଇଦେବେ। ଏହି ଯୋଜନାରେ ବେସରକାରୀ ତଥା ଅଣଅନୁଦାନପ୍ରାପ୍ତ କଲେଜଗୁଡ଼ିକ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରଖାଯାଇଛି। ଯଦି କୌଣସି ଯୋଗ୍ୟ ଛାତ୍ରଛାତ୍ରୀ ଅଣଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନରେ ବୈଷୟିକ ବା ଉଚ୍ଚଶିକ୍ଷା ଗ୍ରହଣ କରନ୍ତି, ତେବେ ସେମାନେ ନିଜସ୍ୱ ଅର୍ଥରେ ନାମ ଲେଖାଇବା ପରେ ସମସ୍ତ ଆବଶ୍ୟକୀୟ କାଗଜପତ୍ର ଓ ଭାଉଚର ଦାଖଲ କରି ସରକାରଙ୍କଠାରୁ ଟଙ୍କା ଫେରସ୍ତ ବା ରିଇମ୍ବର୍ସମେଣ୍ଟ ପାଇପାରିବେ। ସମ୍ପୂର୍ଣ୍ଣ ପାଠ୍ୟକ୍ରମ ଅବଧି ପାଇଁ ଏହି ରିଇମ୍ବର୍ସମେଣ୍ଟ ରାଶି ସର୍ବାଧିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୀମିତ ରହିବ। ଅପରପକ୍ଷରେ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ନାମଲେଖା ସମୟରେ ହିଁ ଫି’ ଛାଡ଼ କରାଯିବ ଓ ସରକାରଙ୍କ ଠାରୁ ଉକ୍ତ ଅର୍ଥ କଲେଜ କର୍ତ୍ତୃପକ୍ଷ ଭରଣା କରିପାରିବେ। ଦ୍ୱାଦଶ ଶ୍ରେଣୀ ପରେ ଅତିକମରେ ଏକ ବର୍ଷ ଅବଧି ବିଶିଷ୍ଟ ଯେକୌଣସି ବୈଷୟିକ ବା ପ୍ରଫେସନାଲ ପାଠ୍ୟକ୍ରମରେ ଏହି ସୁବିଧା ଉପଲବ୍ଧ ହେବ। ଏହି ଯୋଜନା ଅଧୀନରେ ବାପା-ମା’ ଛେଉଣ୍ଡ ଅନାଥ ପିଲା, କୋଭିଡ ମହାମାରୀ ସମୟରେ ଉଭୟ ପିତାମାତା କିମ୍ବା ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇଥିବା ଛାତ୍ରଛାତ୍ରୀ, ଶିଶୁ ଯତ୍ନ ଅନୁଷ୍ଠାନ (ସିସିଆଇ)ରେ ରହୁଥିବା ଅନ୍ତେବାସୀ ତଥା ଫଷ୍ଟର କେୟାର କିମ୍ବା ଅଭିଭାବକଙ୍କ ଆଶ୍ରୟରେ ଥିବା ପିଲାମାନେ ଉପକୃତ ହୋଇପାରିବେ। ତେବେ ଉକ୍ତ ଛାତ୍ରଛାତ୍ରୀଙ୍କ ପରିବାର କିମ୍ବା ଅଭିଭାବକଙ୍କ ବାର୍ଷିକ ଆୟ ସମସ୍ତ ଉତ୍ସରୁ ୮ ଲକ୍ଷ ଟଙ୍କାରୁ କମ୍ ହୋଇଥିବା ବାଧ୍ୟତାମୂଳକ କରାଯାଇଛି। ଏହି ଯୋଜନାର ସୁଫଳ ପାଇବା ପାଇଁ ଆବେଦନକାରୀଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ)ଙ୍କ ଦ୍ୱାରା ପ୍ରଦତ୍ତ ପ୍ରମାଣପତ୍ର ଓ ତହସିଲଦାରଙ୍କଠାରୁ ଆୟ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ । କୋଭିଡରେ ଅଭିଭାବକଙ୍କୁ ହରାଇଥିବା ପିଲାମାନେ ସ୍ୱତନ୍ତ୍ର କେୟାର୍ଡ ଚାଇଲ୍ଡ ସାର୍ଟିଫିକେଟ ବା ପରିଚୟ ପତ୍ର ଦେଖାଇ ନାମଲେଖା ସମୟରେ ହିଁ ସମସ୍ତ ଶୁଳ୍କ ଛାଡ଼ର ଲାଭ ଉଠାଇପାରିବେ।












