ନୂଆଦିଲ୍ଲୀ: ଚଳିତ ବର୍ଷ ଛତିଶଗଡର ବସ୍ତରର ଯବାନମାନଙ୍କ ସହିତ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ନକ୍ସଲବାଦର ଅନ୍ତ ପାଇଁ ଯବାନମାନଙ୍କ ଅସୀମ ସାହସ ଓ ତ୍ୟାଗକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ହେଉଛି ପ୍ରଥମ ଦୀପାବଳି ଯେତେବେଳେ ଦେଶ ପୂର୍ଣ୍ଣ ମାତ୍ରାରେ ନକ୍ସଲବାଦ ମୁକ୍ତ ହୋଇପାରିଛି। ଯବାନମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “ବୀର ସୈନିକମାନଙ୍କ ସହ ବିତାଇଥିବା ପ୍ରତ୍ୟେକ ଦୀପାବଳି ମୋ ପାଇଁ ଅତ୍ୟନ୍ତ ସ୍ମରଣୀୟ। ଏଥର ମୁଁ ଆପଣମାନଙ୍କ ସହ ଖୁସି ବାଣ୍ଟିବା ପାଇଁ ବସ୍ତରର ଏହି ଐତିହାସିକ ମାଟିକୁ ଆସିଛି। ଦିନେ ଏହି ଅଞ୍ଚଳ ନକ୍ସଲୀ ଆତଙ୍କର ସମ୍ମୁଖୀନ ହେଉଥିଲା, କିନ୍ତୁ ଆପଣଙ୍କ ବଳିଦାନ ଓ ସମର୍ପଣ ଯୋଗୁ ଏଠାରେ ଆତଙ୍କର ଅନ୍ତ ଘଟିଛି ଏବଂ ବିକାଶର ଏକ ନୂଆ ଯୁଗ ଆରମ୍ଭ ହୋଇଛି।”ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଆତ୍ମବଳିଦାନ ଦେଇଥିବା CRPF, BSF, ITBP, SSB, IRB ଏବଂ ରାଜ୍ୟ ପୋଲିସର ଯବାନମାନଙ୍କ ପ୍ରତି ରାଷ୍ଟ୍ର ସଦାସର୍ବଦା ଋଣୀ ରହିବ ବୋଲି ସେ ପ୍ରକାଶ କରିଛନ୍ତି। ଏଥିସହିତ ‘ବସ୍ତର ଫାଇଟର୍ସ’ ପରି ବିଶେଷ ସୁରକ୍ଷା ୟୁନିଟ୍‌ର କମାଣ୍ଡୋ ଏବଂ ମହିଳା ଯବାନମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମଧ୍ୟ ସେ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ଦିନେ ଦେଶର ୨୦ଟି ରାଜ୍ୟର ୨୩୦ରୁ ଅଧିକ ଜିଲା ନକ୍ସଲ ପ୍ରଭାବିତ ଥିଲା, ଯେଉଁଠାରେ ସନ୍ଧ୍ୟା ହେଲେ ଜନଜୀବନ ଠପ୍ ହୋଇଯାଉଥିଲା। କିନ୍ତୁ ଆଜି ସେହି ସ୍ଥିତିରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସିଛି। ସେ ଆହୁରି ମଧ୍ୟ କହିଛନ୍ତି, “ଦୀପାବଳିରେ ସମସ୍ତେ ନିଜ ନିଜ ପରିବାର ସହ ଖୁସି ବାଣ୍ଟିବାକୁ ଘରକୁ ଫେରନ୍ତି। ଦେଶର ସୀମା ଓ ଆଭ୍ୟନ୍ତରୀଣ ସୁରକ୍ଷାରେ ନିୟୋଜିତ ଭାରତ ମାତାର ବୀର ପୁଅ ଓ ଝିଅମାନେ ମୋ ପରିବାରର ସଦସ୍ୟ, ସେଥିପାଇଁ ମୁଁ ଆପଣମାନଙ୍କ ଗହଣକୁ ଆସିଛି।” ଏହା ସହିତ ଏକ୍ସରେ ପୋଷ୍ଟ କରି ସେ ଦେଶବାସୀଙ୍କୁ ଦୀପାବଳିର ଅସୀମ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, “ଦେଶର ସମସ୍ତ ପରିବାରଜନଙ୍କୁ ଦୀପାବଳିର ଅସୀମ ଶୁଭେଚ୍ଛା।”

LEAVE A REPLY

Please enter your comment!
Please enter your name here