ନବୀନ ପଟ୍ଟନାୟକ ଓଡିଶାର ଅପ୍ରତିଦ୍ବନ୍ଦୀ ନେତା । ମାତ୍ର ଅଠର ବର୍ଷର ନିରଙ୍କୁଶ ଶାସନ ପରେ ବି ପୁଣି କ୍ଷମତାକୁ ଫେରିବା ନେଇ ତାଙ୍କ ମନ ଭିତରେ ଶଙ୍କା ରହିଛି । ଶଙ୍କା ରହିବା ବି ସ୍ବାଭାବିକ । ରାଜନୀତିରେ ସବୁକିଛି ଓଲଟପାଲଟ ହୋଇଯିବାର ସମ୍ଭାବନା ସବୁ ସମୟରେ ରହିଛି । ବିଜେପି ବାଲାଏ ଯେମିତି ମଝିରେ ମଝିରେ ହଲାପଟା କରୁଛନ୍ତି, ସେଥିରେ ନବୀନଙ୍କ ଛାତି ବି ଥରୁଛି । କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ସାଙ୍ଗକୁ ଏବେ କେତେଦିନ ହେଲାଣି ପଦ୍ମ ପୋଖରୀକୁ ଡେଇଁଥିବା ଓକିଲ ପୁଅ ଯେମିତି ତୀର ମାରୁଛନ୍ତି, ସେଥିରେ ଶଙ୍ଖଧାରୀ ପୁରା ଘାୟଲ ହେଉଛନ୍ତି । ପୁଣି ବିଜେଡିରୁ ନିଲମ୍ବିତ ହେବା ପରେ ଦଳ ଛାଡିଥିବା ପଣ୍ଡା ପୁଅ ବି ପ୍ରତିଶୋଧ ନେବା ପାଇଁ ରଡି ଛାଡିବା ଆରମ୍ଭ କରିଛନ୍ତି । ଏସବୁ ଆକ୍ରମଣକୁ ପ୍ରତିହତ

କରିବା ପାଇଁ ପାଣ୍ଡିଆନଙ୍କ ନେତୃତ୍ବାଧୀନ ଯୁବ ବ୍ରିଗେଡିଅର ଟିମ୍ ବି ଫେଲ୍ ମାରିଯାଉଛନ୍ତି । କ୍ଷମତା ହାତରୁ ଖସିଯିବାର ଭୟ ସବୁବେଳେ ଘାରୁଛି । ନିରଞ୍ଜନଙ୍କ ନେତୃତ୍ବରେ କଂଗ୍ରେସିଆ ବି ଡେଇଁବା ଆରମ୍ଭ କରିଦେଲେଣି । ମହାନଦୀ ପାଣିରୁ ରାଜନୀତିକ ଫାଇଦା ଉଠାଇବାକୁ ବିଜେଡି-ବିଜେପି ଭିତରେ ଚାଲିଥିବା ପ୍ରତିଯୋଗିତା ଭିତରେ କଂଗ୍ରେସିଆ ବି ପଶିଗଲେଣି । ମହାନଦୀ ଉପରୁ ଓଡିଶାର ଅଧିକାର ଛଡେଇନେବାରେ ଉଭୟ ବିଜେଡି ଓ ବିଜେପି ଦାୟୀ ବୋଲି ନିରଞ୍ଜନ କହିବା ଆରମ୍ଭ କଲେଣି । ପାଣି ଯେତେ ଗୋଳିଆ ହେବ, ସେଥିରୁ କଂଗ୍ରେସକୁ ଫାଇଦା ଅଧିକ ମିଳିବ । ଏସବୁ କାରଣରୁ ଚାରିଥର ସାଧାରଣ ନିର୍ବାଚନ ପରୀକ୍ଷା ଡେଇଁଥିବା ନବୀନଙ୍କୁ କିନ୍ତୁ 2019 ବେଶୀ ଚିନ୍ତିତ କରିଦେଉଛି । ଆଗରୁ ଏମିତି ଟେନସନ କେବେବି ନଥିଲା । ଏମିତିକି 2009ରେ ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ନବୀନ ଜିତିବା ନେଇ ଦୃଢ ନିଶ୍ଚିତରେ ଥିଲେ । ଅବଶ୍ୟ ସେତେବେଳେ ପ୍ୟାରୀ ଅଙ୍କଲ ଥିଲେ । ଏବେ ଯଦିଓ ପ୍ୟାରୀ ନାହାଁନ୍ତି, କିନ୍ତୁ ପ୍ୟାରୀଙ୍କ ଜାଗାରେ ପାଣ୍ଡିଆନଙ୍କୁ ଭରସା କରିଛନ୍ତି ନବୀନ । ପାଣ୍ଡିଆନ ବି ନବୀନଙ୍କ ଗାଦି ବଞ୍ଚାଇବାକୁ ପୁରା ଦମ୍ ଲଗାଇଦେଇଛନ୍ତି । ପାଣ୍ଡିଆନ, ମିସେସ ପାଣ୍ଡିଆନଙ୍କ ସମେତ ଭାରତୀୟ ପ୍ରଶାସନିକ ସେବାର ବଛା ବଛା ଅଧିକାରୀ ଏବେ କ୍ଷମତା ସୁରକ୍ଷିତ ରଖିବା ସେବାରେ ନିୟୋଜିତ ଅଛନ୍ତି । ନବୀନ ଯାହା ଗତ ତିନି ଟର୍ମରେ କରି ନଥିଲେ, ଏଥରକ ପାଳିରେ ସେସବୁ କରିଛନ୍ତି । ଓଡିଆ ଭାଷା ପ୍ରସଙ୍ଗଠୁ ଆରମ୍ଭ କରି ଚାଷୀ, ଶିକ୍ଷକ, ସାମ୍ବାଦିକ, ସରକାରୀ କର୍ମଚାରୀ ସମସ୍ତଙ୍କୁ ତୁଷ୍ଟ କରିବାକୁ ଉଦ୍ୟମ କରିଛନ୍ତି । ଏହା ସତ୍ୟ ଯିଏ ଥରେ କ୍ଷମତା ସିଂହାସନରେ ବସିଛି, ସେ କେବେ ବି ଗାଦିରୁ ଓହ୍ଲାଇବାକୁ ଚାହେଁନି । ଯେପର୍ଯ୍ୟନ୍ତ ତାଙ୍କୁ ଲୋକେ ଜୋରଜବରଦସ୍ତ ନଓହ୍ଲାଇଛନ୍ତି । ସୁତରାଂ ନବୀନଙ୍କ ପରଫର୍ମାନ୍ସ ରେଟିଂ ଆସନ୍ତା ନିର୍ବାଚନରେ ସ୍ପଷ୍ଟ ହୋଇଯିବ ।

LEAVE A REPLY

Please enter your comment!
Please enter your name here