ସୋନାଙ୍କୁ ନେଇ ଚର୍ଚ୍ଚା । ବଲିଉଡରେ ନାଁ କମେଇଥିବା ଓଡିଆ ଝିଅ ସୋନା ମହାପାତ୍ର କୁଆଡେ ଓଡିଆଙ୍କ ଭାବାବେଗକୁ ଆଘାତ ଦେଇଛନ୍ତି । ବିଭିନ୍ନ ମହଲରୁ ତାଙ୍କୁ ନିନ୍ଦା କରାଯାଇଛି । ସପ୍ତଦଶ ଶତାବ୍ଦୀର ଶ୍ରୀଜଗନ୍ନାଥଙ୍କ ଭକ୍ତ ସାଲବେଗଙ୍କ ରଚିତ ଲୋକପ୍ରିୟ ଓଡିଆ ଭଜନ ଆହେ ନୀଳ ଶଇଳକୁ ସେ କଦର୍ଥ କରି ଗାଇଛନ୍ତି । ମୁମ୍ବାଇର ଏକ ସୋରେ ସେ ଏହି ଭଜନ ଗାଇଥିଲେ । ଗାଇବା ବେଳେ ସେ ସାଲବେଗକୁ ସାଲେବେଗ ବୋଲି ଉଚ୍ଚାରଣ କରିଥିଲେ । ସୋନାଙ୍କ ଏହି ଗୀତ ୟୁଟୁବ୍ ରେ ଅପଲୋଡ ହେବା ପରେ ଆମ ସ୍ବାଭିମାନୀ ଓଡିଆମାନେ ସ୍ବର ଉତ୍ତୋଳନ କରିବା ଆରମ୍ଭ କରିଦେଲେ । ପୂର୍ବରୁ ବି ସୋନା ମହାପାତ୍ର ଲୋକପ୍ରିୟ ସମ୍ବଲପୁରୀ ସଙ୍ଗୀତ ରଙ୍ଗବତୀର ରିମିକ୍ସ କରି ବିବାଦ ଘେରକୁ ଆସିଥିଲେ । ସେତେବେଳେ ଆମ ଓଡିଆ ଭାଷାର ସୁରକ୍ଷା ପ୍ରହରୀମାନେ ସୋନାଙ୍କ ବିରୋଧରେ ପାଗଳାମୀ କରିବା ଆରମ୍ଭ କରିଥିଲେ । ଅବଶ୍ୟ ସୋନା ସେତେବେଳେ ଓଡିଆ ଜାତିର ଭାବାବେଗକୁ ଯଦି ନିଜ ଅଜାଣତରେ ଆଘାତ ପହଞ୍ଚାଇଥିବେ, ସେଥିପାଇଁ ଦୁଃଖ ପ୍ରକାଶ କରିଥିଲେ । ଏଥରକ ଆହେ ନୀଳ ଶଇଳ ଭଜନ ଗାଇବା ପ୍ରସଙ୍ଗରେ ସୋନାଙ୍କ ଦୋଷର ବିଚାର ପ୍ରଭୁ ଶ୍ରୀଜଗନ୍ନାଥ କରିବେ ବୋଲି କେହି କେହି ମତ ଦେଇଛନ୍ତି । ସୋନା ବି ପ୍ରତିକ୍ରିୟାରେ କହିଛନ୍ତି, ଶ୍ରୀଜଗନ୍ନାଥ ବହୁତ ଉଦାର ଓ ବିଶାଳ ହୃଦୟ ତାଙ୍କର, ତେଣୁ ସେ ତାଙ୍କୁ କ୍ଷମା କରିଦେବେ । ଏ ବାଦ ବିବାଦକୁ ନେଇ ଆମର କହିବା କଥା ହେଲା, ସୋନା ଓଡିଆ ହେଲେ ବି ବାହାରର ପାଣି ପବନରେ ବଢିଥିବାରୁ ସେ ଭଲ ଭାବେ ଓଡିଆ ଉଚ୍ଚାରଣ କରିପାରନ୍ତିନି । ଏ କଥା ସେ ପୂର୍ବରୁ ମଧ୍ୟ ସ୍ବୀକାର କରିସାରିଛନ୍ତି । ଯଦି ମୁମ୍ବାଇବାସୀଙ୍କୁ ଓଡିଆ ଭଜନ ଶୁଣାଉ ଶୁଣାଉ କୋଉଠି ଟିକେ ଭୁଲ୍ ଉଚ୍ଚାରଣ ହୋଇଗଲା, ତେବେ କଣଟା ବିଗିଡିଗଲା ଯେ । କଥା ହେଉଛି କିଛି ବିଗିଡି ନାହିଁ କି ବିଗିଡିବାର ପ୍ରଶ୍ନ ହିଁ ଉଠୁନି, ସୋନାଙ୍କ ନାଁରେ ଇଆଡୁ ସିଆଡୁ ଲେଖି ନିଜକୁ ଚର୍ଚ୍ଚା ଭିତରେ ରଖିବାକୁ ଆମ ଓଡିଆଙ୍କ ଆଗ୍ରହ ବେଶୀ । ଓଡିଆ ଝିଅ ସୋନା ଯଦି କିଛି ଭୁଲ୍ କରିଦେଇଛନ୍ତି, ତେବେ ସେ ନିଜକୁ ସଂଶୋଧିତ କରିବା ଉଚିତ । କ୍ଷମା କରିଦେବାରେ ଜାତିର ଗୌରବ । ଏମିତି ଆମ ମୁଖ୍ୟମନ୍ତ୍ରୀ ତ ପ୍ରତିଦିନ ଓଡିଆ ଭାଷଣକୁ ଇଂଗ୍ରାଜୀ ଅକ୍ଷରରେ ପଢି ପଢି ଭୁଲ୍ ଉଚ୍ଚାରଣ କରୁଛନ୍ତି, କାଇଁ କିଛି ତ ବିଗିଡି ଯାଉନି । କେହି ତ ତାଙ୍କ ନାଁରେ ଏତଲା ଦେଉନି । ତାହେଲେ ସୋନାଙ୍କ ପ୍ରତି ଏ ଅସୂୟା କାହିଁକି ?

LEAVE A REPLY

Please enter your comment!
Please enter your name here