କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଗ୍ରାମ୍ୟ ନିର୍ମାଣ ବିଭାଗ-୨ କାର୍ଯ୍ୟାଳୟର ସମସ୍ତ ଚଳନ୍ତି ସମ୍ପତ୍ତିକୁ କୋର୍ଟ ସିଲ୍ କରିବା ପରେ କାର୍ଯ୍ୟାଳୟ ବାହାରେ ସପ ପକାଇ ବସିଛନ୍ତି କର୍ମଚାରୀ । ଗତ ୪ ତାରିଖରେ ମାନ୍ୟବର ସିଭିଲ ଜଜ୍ ସିନିୟର୍ ଡିଭିଜନ, CSJD (Commercial)ଙ୍କ ଦ୍ଵାରା କୋର୍ଟ ବାଲିଫଙ୍କୁ ଦିଆଯାଇଥିବା ନିର୍ଦ୍ଦେଶ ମୁତାବକ, ଗତ ଶୁକ୍ରବାର ଦିନ ଏକ କୋର୍ଟ ଟିମ୍ କେନ୍ଦ୍ରାପଡ଼ା ଗ୍ରାମ୍ୟ ନିର୍ମାଣ ବିଭାଗ-୨ ର ସମସ୍ତ ଚଳାଚଳ ସଂପତ୍ତି ଅର୍ଥାତ ଟେବୁଲ୍, ଚେୟାର୍, ଫ୍ୟାନ, ଆଲମାରୀ ସମେତ ଆକ୍ୱାଗାର୍ଡ ଓ ପାଣି ଟ୍ୟାପକୁ ମଧ୍ୟ ସିଲ୍ କରିଥିଲେ। ଏହି ବିଭାଗ ଅଧିନରେ ମୋଟ ୧୫ଜଣ କିରାଣୀ ଓ ପିଅନ କାମ କରନ୍ତି । ଉକ୍ତ କର୍ମଚାରୀମାନେ ଆଜି କାର୍ଯ୍ୟାଳୟକୁ ଆସି ପହଞ୍ଚିଥିବାବେଳେ, ସିଲ୍ କରାଯାଇଥିବା ଆସବାବପତ୍ରକୁ ବ୍ୟବହାର ନକରି କାର୍ଯ୍ୟାଳୟ ସମ୍ମୁଖରେ ସପ ପକାଇ ବସି ରହିଥିବା ଦେଖିବାକୁ ମିଳିଥିଲା । ଏହି ସିଲ୍ ପାଇଁ ବିଭାଗୀୟ କାଗଜପତ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇ ଯାଇଥିବା ବେଳେ, ଅଧିକ୍ଷଣ ଯନ୍ତ୍ରୀ ସ୍ବାସ୍ଥ୍ୟ ସମସ୍ୟା ଦେଖାଇ ଛୁଟିରେ ରହିଥିବା ସୂଚନା ମିଳିଛି। ଏହି କଥାରେ ପ୍ରତିକ୍ରିୟା ରଖି କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଗଣେଶ୍ୱର ନାୟକ କୁହନ୍ତି,”କେନ୍ଦ୍ରାପଡ଼ା ଜିଲ୍ଲା କୋର୍ଟଙ୍କ ଆଦେଶ ଅନୁସାରେ ୧୩ ତାରିଖ ଦିନ ଆମ ଅଫିସର ସମସ୍ତ ସାମଗ୍ରୀ ଜବତ କରାଯାଇଛି। ଆମ ଅଫିସର ଟେବୁଲ, ଚେୟାର, କମ୍ପ୍ୟୁଟର, ଏସି, ସମସ୍ତ ଆସବାପତ୍ର, ରେକର୍ଡପତ୍ର, ଫାଇଲ୍ ଏବଂ ଗୋଡରେଜ୍ ଆଦି ସବୁକିଛି ସିଜ୍ ହୋଇଯାଇଛି। ପରିସ୍ଥିତି ଏଭଳି ହୋଇଛି ଯେ, ଅଫିସରେ କର୍ମଚାରୀଙ୍କ ପାଇଁ ବସିବାକୁ ମଧ୍ୟ ଜାଗା ନାହିଁ। ତେଣୁ ଆମେ ବାଧ୍ୟ ହୋଇ ତଳେ ବସୁଛୁ । ଅଫିସ ଖୋଲା ରହୁଛି ଏବଂ ଆମେ କର୍ମଚାରୀମାନେ ମଧ୍ୟ ଆସୁଛୁ। କିନ୍ତୁ ସମସ୍ତ ରେକର୍ଡ ଓ ଜିନିଷପତ୍ର ଜବତ ହୋଇଥିବାରୁ କୌଣସି ବିକାଶମୂଳକ କାମ କିମ୍ବା କେଶ୍ ସମ୍ବନ୍ଧୀୟ କାମ ହୋଇ ପାରୁନାହିଁ। କୋର୍ଟଙ୍କ ରାୟ ଅନୁସାରେ ଯେତେବେଳେ ଏହି ସିଜ୍ ଉଠାଯିବ (Withdraw ହେବ) ସେତେବେଳେ ସ୍ୱାଭାବିକ ଭାବରେ କାର୍ଯ୍ୟ ଆରମ୍ଭ ହୋଇପାରିବ ।” ସରକାରଙ୍କୁ ମାନ୍ୟବର ଅଦାଲତଙ୍କ ଏହି ଛାଟ ପରେ କେବେ ଏହି ସମସ୍ୟାର ସମାଧାନ ହେଉଛି ସେନେଇ ସ୍ଥାନୀୟ ଠିକାଦାର ଓ ଜନସାଧାରଣ ଚାହିଁ ରହିଛନ୍ତି।

LEAVE A REPLY

Please enter your comment!
Please enter your name here