ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅକୱାନ’ର ମୁକାବିଲା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରାକୃତିକ ଦୁର୍ବିପାକ ସମୟରେ ଜନସାଧାରଣଙ୍କ ସୁରକ୍ଷା, ରିଲିଫ୍, ଉଦ୍ଧାର କାର୍ଯ୍ୟ ଏବଂ ଜରୁରୀକାଳୀନ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ନିମନ୍ତେ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ସମ୍ପୂର୍ଣ୍ଣ ବାତିଲ କରାଯାଇଛି। ଏନେଇ ଜିଲ୍ଲାପାଳ ଅମ୍ରିତ ଋତୁରାଜ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ଦ୍ଦେଶନାମା ଅନୁଯାୟୀ, ଆଜିଠାରୁ ଆସନ୍ତା ନଭେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ଆଗାମୀ ୬ ଦିନ ପାଇଁ ଜିଲ୍ଲାର କୌଣସି ସରକାରୀ ଅଧିକାରୀ କିମ୍ବା କର୍ମଚାରୀ ବିନା ଅନୁମତିରେ କାର୍ଯ୍ୟାଳୟ କିମ୍ବା ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ। ପୂର୍ବରୁ ମଞ୍ଜୁର ହୋଇଥିବା ସମସ୍ତ ଛୁଟି ଏବଂ ମୁଖ୍ୟାଳୟ ଛାଡ଼ିବା ଅନୁମତିକୁ ତତ୍କାଳ ରଦ୍ଦ କରାଯିବା ସହ ସମ୍ପୃକ୍ତ କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଛି। ଏହା ସହିତ ୪ଟି ଜିଲ୍ଲାରେ ବାତ୍ୟା ପରିଚାଳନା ପାଇଁ ୪ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।ନିଷ୍ପତ୍ତି ଅନୁଯାୟୀ, ଜଗତସିଂହପୁର ଜିଲ୍ଲାର ଦାୟିତ୍ୱ ବରିଷ୍ଠ ଆଇଏଏସ୍ ଅଧିକାରୀ ଯାମିନୀ ଷଡ଼ଙ୍ଗୀଙ୍କୁ ଦିଆଯାଇଥିବା ବେଳେ ପୁରୀ ଜିଲ୍ଲା ପାଇଁ ଅରବିନ୍ଦ ଅଗ୍ରୱାଲଙ୍କୁ ନିଯୁକ୍ତ କରାଯାଇଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ଦାୟିତ୍ୱ ସମୀର ପ୍ରଧାନ ଏବଂ ଗଜପତି ଜିଲ୍ଲାର ଦାୟିତ୍ୱ ମାନସୀ ନିମ୍ଭାଳଙ୍କୁ ଦିଆଯାଇଛି। ଏହି ଅଧିକାରୀମାନେ ସମ୍ପୃକ୍ତ ଜିଲ୍ଲାରେ ପହଞ୍ଚି ବାତ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ କରିବେ।













