ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ଅକ୍ୱାନ୍’କୁ ନେଇ ବଢ଼ିଲା ଚିନ୍ତା। ଭାରତୀୟ ପାଣିପାଗ ବିଭାଗ (IMD) ବାତ୍ୟାର ଗତିପଥ ନେଇ ନୂଆ ଆକଳନ ଜାରି କରିଛି। ପୂର୍ବ ଆକଳନ ତୁଳନାରେ ବାତ୍ୟାର ଗତିପଥ ଉତ୍ତର ଦିଗକୁ ବଦଳିଥିବାରୁ ଏବେ ଓଡ଼ିଶା ଉପକୂଳ ପ୍ରତି ବିପଦ ଆଶଙ୍କା ବଢ଼ିଛି।ନୂଆ ଆକଳନ ଅନୁଯାୟୀ, ଆସନ୍ତା ଶୁକ୍ରବାର ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସମୟରେ ଆନ୍ଧ୍ରପ୍ରଦେଶର ନରସାପୁରରୁ ଓଡ଼ିଶାର ପୁରୀ ମଧ୍ୟବର୍ତ୍ତୀ ଉପକୂଳ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ।ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବାର ଆକଳନ କରାଯାଇଛି। ଏହାର ଝଟକା ପବନର ବେଗ ୧୧୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ବାତ୍ୟାର ଗତିପଥ ଉପରେ ପାଣିପାଗ ବିଭାଗ ନଜର ରଖିଛି।ବାତ୍ୟାର ନୂଆ ଗତିପଥ ଯୋଗୁଁ ଓଡ଼ିଶାର ଗଞ୍ଜାମ, ଗଜପତି, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ସମ୍ଭାବ୍ୟ ବିପଦକୁ ଆଖି ଆଗରେ ରଖି ପ୍ରଶାସନ ଓ ବିପର୍ଯ୍ୟୟ ପରିଚାଳନା ଟିମ୍ଗୁଡ଼ିକ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି।ପୂର୍ବରୁ ବାତ୍ୟା ନେଲ୍ଲୋର ଓ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରାଯାଇଥିଲା। କିନ୍ତୁ ନୂଆ ଆକଳନରେ ଗତିପଥ ଉତ୍ତର ଦିଗକୁ ମୁହାଁଇଥିବାରୁ ପୁରୀ ମଧ୍ୟ ସମ୍ଭାବ୍ୟ ସ୍ଥଳଭାଗ ପ୍ରବେଶ ଅଞ୍ଚଳ ମଧ୍ୟରେ ଆସିଛି।












