ଭୁବନେଶ୍ୱର: ନୂଆପଲ୍ଲୀ ଥାନା ପୁଲିସ ରିଅଲ୍ ଇଷ୍ଟେଟ୍ ସଂସ୍ଥା ଦ୍ବାରିକା କ୍ରିଏସନ୍ ପ୍ରାଇଭେଟ୍ ଲିଃର ୨ଜଣ ପରିଚାଳନା ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ସେମାନେ ହେଲେ, ମଞ୍ଚେଶ୍ବର ଭୋଟପଡ଼ାର ଦିବ୍ୟରଂଜନ ରାଉତ ଓ ଶୈଳଶ୍ରୀବିହାରର ରାଜୀବ କୁମାର ଦାଶ। ସେମାନେ ପ୍ଲଟିଂ ସ୍କିମ୍ରେ ଲୋକଙ୍କ ଜମିକୁ ରାସ୍ତା ଯୋଗାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକି ନେଇଥିଲେ l ପୁଲିସ ଉଭୟଙ୍କ ଠାରୁ ଜମି ବିକ୍ରୟର ଦଳିଲ ଓ ଚୁକ୍ତିପତ୍ର ଜବତ କରିଛି। ପ୍ରାୟ ୫୦ରୁ ୬୦ଜଣ ଜମି ମାଲିକଙ୍କୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ନୂଆପଲ୍ଲୀ ଥାନା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ସୂଚନା ଅନୁଯାୟୀ ୨୦୧୦ରେ ରାଜୀବ ଓ ଦିବ୍ୟରଞ୍ଜନ ମିଳିତ ଭାବେ ଏହି ସଂସ୍ଥା ଗଠନ କରି ‘ଦ୍ୱାରିକା ସିଟି’ ନାମରେ ପ୍ଲଟିଂ ସ୍କିମ୍ ଆରମ୍ଭ କରିଥିଲେ। ଏଥିପାଇଁ ଟାଙ୍ଗିବନ୍ତ ଓ ଓସ୍ତପଡ଼ା ଅଞ୍ଚଳରେ ଜମି ସଂଗ୍ରହ କରି ପ୍ଲଟିଂ କରି ବିକ୍ରି କରାଯାଇଥିଲା। ପ୍ରାୟ ୫୦ରୁ ୬୦ ଜଣ ଗ୍ରାହକ ଏହି ଯୋଜନାରେ ପ୍ଲଟ୍ କିଣିଥିବା ବେଳେ ସେମାନଙ୍କୁ ରାସ୍ତା, ବୃକ୍ଷରୋପଣ ଓ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମି ସୁବିଧା ଯୋଗାଇବାର ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଟଙ୍କା ଆଦାୟ ପରେ ଚୁକ୍ତି ଅନୁଯାୟୀ ସୁବିଧା ଯୋଗାଇ ଦିଆଯାଇନଥିଲା କି ପ୍ଲଟ୍କୁ ଯିବା ପାଇଁ ଅଭିଯୋଗକାରୀଙ୍କୁ ରାସ୍ତା ମଧ୍ୟ ଦିଆଯାଇନଥିଲା। ତେଣୁ ବାଧ୍ୟ ହୋଇ ଏନେଇ ସେମାନେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗର ତଦନ୍ତ ପରେ ପୋଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି l
Home Uncategorized ପ୍ଲଟିଂ ସ୍କିମ୍ରେ ରାସ୍ତା ଯୋଗାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ:ଦ୍ବାରିକା କ୍ରିଏସନ୍ ପ୍ରାଇଭେଟ୍ ଲିଃର...












