ମହିଳାମାନଙ୍କ ମନ୍ଦିର ପ୍ରବେଶ ଅଧିକାର ପ୍ରସଙ୍ଗକୁ ଆଳ କରି ସାମ୍ପ୍ରଦାୟିକ ଶକ୍ତିଗୁଡ଼ିକ ନିଜର ଉପସ୍ଥିତି ଓ ଶକ୍ତି ବୃଦ୍ଧି କରିବାକୁ ଉଦ୍ୟମ କରୁଛନ୍ତି । ଦେଶର ପ୍ରଗତିଶୀଳ ବ୍ୟକ୍ତିମାନେ ଏଥିପ୍ରତି ସତର୍କର୍ ରହି ଜନସାଧାରଣଙ୍କୁ ସଚେତନ କରାଇବା ଉଚିତ । ଅନ୍ୟପକ୍ଷରେ ଧାର୍ମିକ ପ୍ରସଙ୍ଗରେ ରାଷ୍ଟ୍ର ସମ୍ପୃକ୍ତ ହେବା ଅନୁଚିତ ବୋଲି ସିଟିଜେନ୍ସ ଫୋରମର ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଛି ।
ସ୍ଥାନୀୟ ୟୁନିଟ-୩ ସ୍ଥିତ ଶ୍ରମିକ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଫୋରମର ମାସିକ ଆଲୋଚନାଚକ୍ରରେ ‘ମହିଳାମାନଙ୍କ ମନ୍ଦିର ପ୍ରବେଶ ଅଧିକାର ଓ ମି-ଠୁ ପ୍ରସଙ୍ଗ’ ଉପରେ ଯୋଗଦେଇ ଅତିଥି ଓ ବୁଦ୍ଧିଜୀବୀମାନେ ଆଲୋଚନା କରିଥିଲେ । ସେମାନେ କହିଥିଲେ ଯେ, ସୁପ୍ରିମକୋର୍ଟଙ୍କ ରାୟ ଅନୁପାଳନକୁ ବିରୋଧ ଆଳରେ ଜାଣିଶୁଣି ଜନ ଅସନ୍ତୋଷ ତିଆରି କରାଯାଉଛି । ଦେଶର ସଂହତି ଓ ସଦଭାବକୁ କ୍ଷୁଣ୍ଣ କରିବା ପାଇଁ ଉଦ୍ୟମ ହେଉଛି । ଏଥିପ୍ରତି ଦେଶବାସୀ ସତର୍କ ରହିବା ଉଚିତ । ପ୍ରଗତିଶୀଳ ବ୍ୟକ୍ତି ଓ ଅନୁଷ୍ଠାନଗୁଡ଼ିକ ଏ ସମ୍ପର୍କରେ ଦେଶବାସୀଙ୍କୁ ସଚେତନ କରାଇବା ଆବଶ୍ୟକ । ଦେଶର ଅସଲ ସମସ୍ୟାଗୁଡ଼ିକର ସମାଧାନ କରିବା ଉପରେ ସରକାର ଗୁରୁତ୍ୱ ଦେବା ଉଚିତ । ତା’ ନକରି ଧାର୍ମିକ ପ୍ରସଙ୍ଗରେ ରାଷ୍ଟ୍ର ସମ୍ପୃକ୍ତ ହେବା ଠିକ୍ ନୁହେଁ ବୋଲି ବକ୍ତାମାନେ କହିଥିଲେ । ସେହିଭଳି ମି-ଠୁ ପ୍ରସଙ୍ଗରେ ଆଲୋଚନା କରି ବକ୍ତାମାନେ କହିଥିଲେ ଯେ, ଅସଦାଚରଣର ପ୍ରତିବାଦ କରାଯାଉ । କିନ୍ତୁ ଏହାକୁ ପ୍ରତିଶୋଧର ଅସ୍ତ୍ର ଭାବେ କେହି ବ୍ୟବହାର ନକରନ୍ତୁ ।
ସିଟିଜେନ୍ସ ଫୋରମର ସଭାପତି ଡାକ୍ତର ମଧୁସୁଦନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ବରିଷ୍ଠ ସାମ୍ବାଦିକ ତଥା ସମଦୃଷ୍ଟିର ସମ୍ପାଦକ ସୁଧୀର ପଟ୍ଟନାୟକ ମୁଖ୍ୟ ବକ୍ତବ୍ୟ ଉପସ୍ଥାପନ କରିଥିବା ବେଳେ ରାଜ୍ୟ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି ପ୍ରମୁଖ ବକ୍ତା ଭାବେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here