୨୦୧୮-୧୯ ରଣଜୀ ଟ୍ରଫି ଗୁରୁବାରଠାରୁ ଆରମ୍ଭ ହେଉଛି । କିଟ୍ କ୍ରିକେଟ୍ ପଡ଼ିଆରେ ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍ରେ ହରିଆଣାର ମୁକାବିଲା କରିବାକୁ ଯାଉଛି। ତିନିଟି ସିଜିନ୍ ପରେ ଉଭୟ ଦଳ ପରସ୍ପରକୁ ଭେଟିବେ। ପୂର୍ବରୁ ଓଡ଼ିଶା ଏବଂ ହରିଆଣା ୬ ଥର ଭେଟାଭେଟି ହୋଇଥିଲା ବେଳେ ସେଥିମଧ୍ୟରୁ ଓଡ଼ିଶା ଦୁଇଟି ମ୍ୟାଚ୍ ଏବଂ ହରିଆଣା ଗୋଟିଏ ମ୍ୟାଚ୍ ଜିତିଛି । କିଟ୍ ପଡ଼ିଆରେ ଏହି ଦୁଇ ଉତ୍ତର ଏବଂ ପୂର୍ବ ଭାରତ ଦଳ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବେ । ଏହା ପୂର୍ବରୁ ୨୦୧୩-୧୪ରେ ଓଡ଼ିଶା ଏବଂ ହରିଆଣା ଭୁବନେନଶ୍ୱର ରେଳବାଇ ଷ୍ଟାଡିୟମରେ ଖେଳିଥିଲେ। ସେଥିର ହରିଆଣା ଭଲ ପ୍ରଦର୍ଶନ କରିଥିଲା । ଏଲିଟ୍ ଗ୍ରୁପ୍ -ସିର ଏହି ମୁକାବିଲାକୁ ନେଇ ରାଜଧାନୀ କ୍ରିକେଟ୍ ମହଲରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ହରିଆଣା ଦଳରେ ମୋହିତ ଶର୍ମା ଏବଂ ଜୟନ୍ତ ଯାଦବଙ୍କ ରୂପରେ ଦୁଇ ଜଣ ଅନ୍ତର୍ଜାତୀୟ ଅଭିଜ୍ଞତା ଖେଳାଳି ରହିଛନ୍ତି। ଗତ ଋତୁରେ ହରିଆଣାର ଅଧିନାୟକ ଦାୟିତ୍ୱ ତୁଲାଇଥିବା ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ସ୍ପିନର ଅମିତ ମିଶ୍ର ଏଥର ଏହି ଦଳରେ ନାହାଁନ୍ତି। ଯାହା ଓଡ଼ିଶା ପାଇଁ ଏକ ଭଲ ଖବର । ଅଧିନାୟକ ବିପ୍ଳବଙ୍କ ସହ ଗୋବିନ୍ଦ ପୋଦ୍ଦାର ଓଡ଼ିଶା ବ୍ୟାଟିଂର ନେତୃତ୍ୱ ନେବେ। ସେହିଭଳି ବୋଲିଂ ବାହିନୀ ଅଭିଜ୍ଞ ବସନ୍ତ ମହାନ୍ତିଙ୍କ ନେତୃତ୍ୱରେ ହରିଆଣା ଉପରେ ଚାପ ସୃଷ୍ଟି କରିବା ଦାୟିତ୍ୱରେ ରହିବ । ଉଭୟ ଦଳକୁ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।