ଛତିଶଗଡ ଦନ୍ତେୱାଡାରେ ମାଓବାଦୀଙ୍କ ଗୁଳିରେ ଦୂରଦର୍ଶନର ଜଣେ କ୍ୟାମେରାମ୍ୟାନ ସହିଦ ହୋଇଥିବା ଘଟଣାରେ ଶୁକ୍ରବାର ମାଓ ସଂଗଠନ ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଛି । କ୍ୟାମେରାମ୍ୟାନ ମୃତ୍ୟୁ  ଘଟଣାକୁ ନେଇ ସିପିଆଇ ମାଓ ସଙ୍ଗଠନ ଦୁଃଖ ପ୍ରକାଶ କରିବା ସହ ଏକ ପୋଷ୍ଟର ଲଗାଇଛି । ସେଥିରେ ଲେଖାଯାଇଛି ଯେ, ସାମ୍ବାଦିକ ଆମର ଶତ୍ରୁ ନୁହେଁ ବରଂ ମିତ୍ର । ମାଓବାଦୀଙ୍କ ଟାର୍ଗେଟରେ ସାମ୍ବାଦିକ ବା କ୍ୟାମେରାମ୍ୟାନ ନଥିଲେ । ଯବାନଙ୍କୁ ଆକ୍ରମଣ କରିବାକୁ ଯୋଜନା କରାଯାଇଥିଲା । ହେଲେ ଭୁଲ ବଶତଃ ଦୂରଦର୍ଶନ କ୍ୟାମେରାମ୍ୟାନଙ୍କ ଦେହରେ ଗୁଳି ବାଜିଥିଲା ବୋଲି ମାଓ ସଙ୍ଗଠନ ପକ୍ଷରୁ ସଫେଇ ଦିଆଯାଇଛି । ଏଥିସହିତ ମାଓ ଇଲାକାରକୁ ସୁରକ୍ଷାକର୍ମୀ ଓ ପୁଲିସଙ୍କ ସହିତ ଗଣମାଧ୍ୟମ ପ୍ରତିନିଧି ନଯିବାକୁ ପରାମର୍ଶ ଦିଆଯାଇଛି ।
ଅନ୍ୟପଟେ ମାଓବାଦୀଙ୍କ ସ୍ପଷ୍ଟୀକରଣକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ଜିଲ୍ଲା ଏସପି ଅଭିଷେକ ପଲ୍ଲବ । ସେ ଏହାର ପାଲଟା ଜବାବରେ ପ୍ରଶ୍ନ କରିଛନ୍ତି ଯେ, କ୍ୟାମେରା କାହିଁକି ଲୁଟ କରାଗଲା । ଗରମାଧ୍ୟମକୁ ଟାର୍ଗେଟ କରି ଯୋଜନା ପ୍ରସ୍ତୁତ କରାଯାଇଥିବା ନେଇ ଉକ୍ତ କ୍ୟାମେରାରେ ରେକର୍ଡ ଥିଲା । ସହିଦ୍ କ୍ୟାମେରାମ୍ୟାନଙ୍କ ଶରୀରରେ ଥିବା ଗୁଳିର ଚିହ୍ନ ଓ ମୁଣ୍ଡରେ ଲାଗିଥିବା ଗଭୀର ଆଘାତରୁ ଏହାର ଭୁଲ ବଶଃତ ନଥିଲା ବୋଲି ସ୍ପଷ୍ଟ ହେଉଛି ।
ଗତ ୩୦ ତାରିଖରେ ଛତିଶଗଡ ଦାନ୍ତେୱାଡାର ନିଲବାୟା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ବେଳେ ଘଟିଥିଲା ଅଘଟଣ । ଦିଲ୍ଲୀ ଦୂରଦର୍ଶନର ଏକ ଟିମ ନିଲବାୟା ଅଞ୍ଚଳରେ ନୂଆ କରି ତିଆରି ହୋଇଥିବା ଏକ ପୁଲିଂ ବୁଥ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଯିବା ସମୟରେ ଯବାନମାନଙ୍କ ସହିତ ନକ୍ସଲଙ୍କ ଆକ୍ରମଣର ଶିକାର ହୋଇଥିଲେ। ଏଥିରେ ମୋଟ୍‌ ୩ ଜଣ ଯବାନ ଓ ଦୂରଦର୍ଶନର କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁ ସହିଦ ହୋଇଥଲେ।

LEAVE A REPLY

Please enter your comment!
Please enter your name here