ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଥିରୁବନନ୍ତପୁରମ୍-ହଜରତ ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସର ଏକ ଏସି କୋଚ୍‌ରେ ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳ ପ୍ରାୟ ୫ଟା ୩୦ ମିନିଟ୍ ସମୟରେ କୋଟା ରେଳ ଡିଭିଜନର ଲୁନିରିଛା ଓ ବିକ୍ରମଗଡ଼ ଆଲୋଟ୍ ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ କୋଟା ରେଳ ଡିଭିଜନର ରିଲିଫ୍ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଥିରୁବନନ୍ତପୁରମ-ହଜରତ ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସ (ଟ୍ରେନ ନଂ. ୧୨୪୩୧)ର B-୧ କୋଚ୍‌ରେ (ଏସ୍‌ଏଲ୍‌ଆର୍ ଏଣ୍ଡ୍ ନିକଟରେ) ହଠାତ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ପରେ ଟ୍ରେନରେ ଥିବା ଆରପିଏଫ୍ (RPF) କର୍ମଚାରୀ ଏବଂ ରେଳ କର୍ମଚାରୀମାନେ ତୁରନ୍ତ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇବା ଆରମ୍ଭ କରିଥିଲେ। ମାତ୍ର ୧୫ ମିନିଟ୍ ମଧ୍ୟରେ ସମ୍ପୂର୍ଣ୍ଣ କୋଚ୍‌କୁ ଖାଲି କରାଯାଇଥିଲା। ଦୁର୍ଘଟଣା ସମୟରେ ଉକ୍ତ ବଗିରେ ଥିବା ୬୮ ଜଣ ଯାତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି। ଏହି ଦୁର୍ଘଟଣା ଯୋଗୁଁ ଦିଲ୍ଲୀ-ମୁମ୍ବାଇ ମୁଖ୍ୟ ରେଳ ଟ୍ରାକରେ ସମସ୍ତ ଯାତାୟାତକୁ ସାମୟିକ ଭାବେ ବନ୍ଦ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଟ୍ରେନର ବିଦ୍ୟୁତ ଯୋଗାଣ ମଧ୍ୟ କାଟି ଦିଆଯାଇଛି। ଘଟଣାସ୍ଥଳରେ କୋଟା ଡିଭିଜନର ବରିଷ୍ଠ ଅଧିକାରୀ ଏବଂ ବୈଷୟିକ କର୍ମଚାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବାପାଇଁ ରେଳବାଇ ପକ୍ଷରୁ ଏହାର ତଦନ୍ତ ଜାରି ରହିଛି।

LEAVE A REPLY

Please enter your comment!
Please enter your name here