ଅଭିଜିତ ଆୟାର ମିତ୍ର ଶୁକ୍ରବାର ଦ୍ୱିତୀୟ ଥର ପାଇଁ ବିଧାନସଭା ପରିସରରେ ଗୃହକମିଟି ସମ୍ମୁଖରେ ହାଜର ହୋଇଛନ୍ତି। ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ଗୃହକମିଟ ସମ୍ମୁଖରେ ହାଜର ହୋଇଛନ୍ତି। ତେବେ ସେ ଆଜି ଆଫିଡେଭିଟ୍‌ ଦାଖଲ କରି ପାରି ନ ଥିବାରୁ ଶନିବାର ପୁଣି ଥରେ ଗୃହକମିଟି ଆଗରେ ଅଭିଜିତ ହାଜର ହେବେ ବୋଲି ଜଣାପଡ଼ିଛି।
ସୁଚନାଅନୁଯାୟୀ, କୋଣାର୍କ ସୂର୍ୟ୍ୟମନ୍ଦିର, ଓଡ଼ିଶା ଓ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କ ବିରୋଧରେ କୋଣାର୍କ ଥାନାରେ ମାମଲ ରୁଜୁ ହୋଇଥିବା ବେଳେ ଓଡ଼ିଶା ବିଧାନସଭାରେ ଏନେଇ ଆଲୋଚନା କରାଯାଇ ତାଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ଅଭିଯୋଗ ହୋଇଥିଲା। ଗତ ଅକ୍ଟୋବର ମାସ ୧୧ ତାରିଖରେ ଅଭିଜିତଙ୍କୁ ଗୃହକମିଟି ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ସେଦିନ ଅଭିଜିତ ଗୃହକମିଟି ଆଗରେ ହାଜର ନ ହେବାରୁ ତାଙ୍କୁ ଅକ୍ଟୋବର ୨୩ ତାରିଖରେ ହାଜର ହେବା ପାଇଁ କୁହାଯିବା ସହିତ ପୁଲିସ ମହାନିର୍ଦ୍ଦେଶକଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଥିଲା। ଗତ ଅକ୍ଟୋବର ୨୩ ତାରିଖରେ ଅଭିଜିତ ଆୟାର ମିତ୍ର ଗୃହକମିଟି ଆଗରେ ହାଜର ହୋଇ କ୍ଷମା ପ୍ରାର୍ଥନା କରିଥିଲେ। ମାତ୍ର ଗୃହକମିଟି ତାଙ୍କୁ ନଭେମ୍ବର ୨ ତାରିଖରେ ସତ୍ୟପାଠ ସହିତ ହାଜର ହେବାକୁ କହିଥିଲେ।

LEAVE A REPLY

Please enter your comment!
Please enter your name here