ମଧ୍ୟପ୍ରଦେଶ(ଏଜେନ୍ସି): ଦେଶରେ ମହିଳା ସଶକ୍ତିକରଣ ହେଉଛି, ମହିଳାମାନେ ଆତ୍ମସମ୍ମାନର ସହ ବଞ୍ଚôବା ଆରମ୍ଭ କରିଛନ୍ତି । ସେମାନଙ୍କୁ ସ୍ୱାବଲମ୍ବୀ କରାଯିବାକୁ ସବୁପ୍ରକାର ପଦକ୍ଷେପ କେନ୍ଦ୍ର ସରକାର ଗ୍ରହଣ କରୁଛନ୍ତି । ଝିଅମାନେ ପାଠ ପଢ଼ୁଛନ୍ତି, ନିଯୁକ୍ତି ପାଉଛନ୍ତି, ଦେଶର ନାମ ଉଚ୍ଚା କରୁଛନ୍ତି । ଏମିତି ସବୁ ପ୍ରତିଶ୍ରୁତି କେତେଦୂର ବାସ୍ତବଧର୍ମୀ, ତା’ର ଏକ ନିଚ୍ଛକ ଚିତ୍ର ଆମ ଦେଶର ଅନେକ ପ୍ରାନ୍ତରେ ଘଟୁୂଥିବା ଦୈନିକ ଘଟଣାରୁ ସ୍ପଷ୍ଟ ଅନୁମାନ କରାଯାଇପାରେ । ସତ କହିବାକୁ ଗଲେ ମହିଳାଙ୍କ ଉପରେ ଅତ୍ୟାଚାର, ହିଂସା, ଦୁଷ୍କର୍ମ ପୂର୍ବାପେକ୍ଷା ଅଧିକ ବଢ଼ିଛି । ଏସବୁ ମଧ୍ୟରେ ମଧ୍ୟପ୍ରଦେଶର ଶିବପୁରୀ ଅଞ୍ଚଳରେ ଘଟୁଥିବା ଏକ ଘଟଣା ସମସ୍ତଙ୍କ ଆଖି ଖୋଲିବା ପାଇଁ ଯଥେଷ୍ଟ ।
ମଧ୍ୟପ୍ରଦେଶର, ଉତ୍ତରପଶ୍ଚିମରେ ଥିବା ଗ୍ୱାଲିଅର ଡିଭିଜନ୍ ଅଞ୍ଚଳରେ ଥିବା ଶିବପୁରୀ ଜିଲ୍ଲା ଅନ୍ତର୍ଗତ ଅଧିକାଂଶ ଗ୍ରାମାଞ୍ଚଳରେ ମହିଳାଙ୍କୁ ପଣ୍ୟଦ୍ରବ୍ୟ ଭାବେ କିଣାବିକା କରାଯାଉଥିବା ସମ୍ପର୍କରେ ସୂଚନା ମିଳିଛି । ଏଠାରେ ଧନୀକ ଶ୍ରେଣୀର ଲୋକମାନେ ସାମାନ୍ୟ କେତେ ଟଙ୍କାରେ ଅଭାବୀ ତଥା ଗରିବ ପରିବାରର ଝିଅ, ଯୁବତୀ ଏପରିକି ବିବାହିତା ମହିଳାଙ୍କୁ ମଧ୍ୟ ଭଡାସୂତ୍ରରେ କିଣି ନେଇଥାନ୍ତି । ଅବିବାହିତ ତଥା ସୌଖୀନବିଳାସୀ ପୁରୁଷ, ଯୁବକମାନେ ଏପରି କରିଥାନ୍ତି । ସେମାନେ ଗରିବ ପରିବାରର ମୁଖିଆଙ୍କୁ ଟଙ୍କାର ଲୋଭ ଦେଖାଇ ସେମାନଙ୍କ ପରିବାରର ମହିଳାଙ୍କୁ କିଣିନେଇଥାନ୍ତି । ଆଉ ଅଭାବୀ ବ୍ୟକ୍ତି ମଧ୍ୟ ଏପରି କରିବାକୁ ବାଧ୍ୟବଧକତାରେ ରାଜି ହୋଇଯାଇଥାନ୍ତି । ତେବେ ଏହି କିଣାବିକା ଦୀର୍ଘସ୍ଥାୟୀ ନୁହେଁ ବରଂ ମାସକ ପାଇଁ, ୨ମାସ ପାଇଁ, ୬ମାସ ପାଇଁ କିମ୍ବା ଅଧିକରୁ ଅଧିକ ହେଲେ ବର୍ଷକ ପାଇଁ ହୋଇଥାଏ । ଏହି ସମୟ ମଧ୍ୟରେ ସେମାନେ ଉକ୍ତ ମହିଳାଙ୍କୁ ମନଇଚ୍ଛା କାର୍ଯ୍ୟ ଯେପରିକି ଘରୋଇ କାମ, ଚାଷବାଡି କାମ, ବିଭିନ୍ନ ପ୍ରତିଷ୍ଠାନରେ ନିର୍ମାଣାଧୀନ କାମ ଏବଂ ସର୍ବୋପରି କାମନାବାସନା ଚରିତାର୍ଥ ଭଳି କାମରେ ମଧ୍ୟ ନିୟୋଜିତ କରିଥାନ୍ତି । ତେବେ ଏସବୁ କରିବା ପାଇଁ ସେମାନେ ମହିଳାଙ୍କୁ କିଣିବା ସମୟରେ ହିଁ ଏଗ୍ରିମେଣ୍ଟ କରାଇନେଇଥାନ୍ତି । ୧ଠଟଙ୍କା ସମ୍ବଳିତ ଏଗ୍ରିମେଣ୍ଟ ପେପରରେ ସ୍ପଷ୍ଟ ଉଲ୍ଲେଖ କରାଯାଇଥାଏ ଯେ, ସେମାନେ ଟଙ୍କା ବଦଳରେ ମହିଳାଙ୍କୁ କିଣୁଥିବାରୁ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଉକ୍ତ ମହିଳାଙ୍କ ଉପରେ ସେମାନଙ୍କ ଅଧିକାର ରହିବ । ସେମାନଙ୍କ ମନ ଭରିଗଲା ପରେ ସେମାନେ ଯେବେ ଚାହିଁବେ ପୀଡିତାଙ୍କୁ ଆଣି ପୁଣି ତାଙ୍କ ଘରେ ଛାଡିଦେଇପାରିବେ । ମହିଳାଙ୍କ ପରିବାର ଲୋକେ ଏହି ସମୟରେ ଥାନାରେ କିମ୍ବା ଅନ୍ୟ କେଉଁଠି ମଧ୍ୟ କୌଣସି ପ୍ରକାର ଅଭିଯୋଗ କରିପାରିବେ ନାହିଁ । ଏହା ଉପରେ ମହିଳାଙ୍କ ପରିବାରର କେହି ସ୍ୱାକ୍ଷର କରିବା ସହ ଏହି ଚୁକ୍ତି କାର୍ଯ୍ୟକାରୀ ହୋଇଥାଏ । ଏପରିକି ଚୁକ୍ତି ଅବଧି ଶେଷ ହେବା ପରେ ଧନୀ ବ୍ୟକ୍ତି ଚାହିଁଲେ ଏହାକୁ ପୁନଃ ନବୀକରଣ କିମ୍ବା ରଦ୍ଦ ମଧ୍ୟ କରିବାର ସୁବିଧା ମଧ୍ୟ ରହିଥାଏ ।
ଏସବୁ ପ୍ରକ୍ରିୟାରେ ବିବାହ କରିପାରିନଥିବା ବ୍ୟକ୍ତି, ଯୁବକ, ବିବାହ କରି ପରେ ଛାଡପତ୍ର ପାଇଥିବା ବ୍ୟକ୍ତି ହିଁ ସର୍ବାଧିକ ସାମିଲ ହେଉଥିବାରୁ ସେମାନଙ୍କ ଉଦେ୍ଦଶ୍ୟ କେବଳ ଯୌନକ୍ଷୁଧା ଚରିତାର୍ଥ କରିବା ବ୍ୟତିତ କିଛି ବି ନୁହେଁ ବୋଲି ଜାଣିସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ସ୍ଥାନୀୟ ପୁଲିସ ଓ ଜିଲ୍ଲା ପ୍ରଶାସନକୁ ଏସମ୍ପର୍କରେ ପଚରାଯିବାରେ ସେମାନେ କହନ୍ତି ଯେ, ଯଦି ଉଭୟ ପକ୍ଷ ଏପରି ଚୁକ୍ତି କରିବାକୁ ଇଚ୍ଛା କରନ୍ତି ତେବେ ଏହାକୁ ମନା କରିବାର ଅଧିକାର ସେମାନଙ୍କର ନାହିଁ । କାରଣ ଗୋଟିଏ ପାର୍ଟି ଏସବୁ ପାଇଁ ଅର୍ଥ ଦେଉଥିବା ବେଳେ ଅନ୍ୟ ପାର୍ଟି ଅର୍ଥ ଗ୍ରହଣ କରୁଛନ୍ତି । ଏସବୁ ସେମାନଙ୍କ ନିଜସ୍ୱ ଅଧିକାର । ତେଣୁ ଏଥିରେ ଆଇନକାନୁନ କିଛି କରିପାରିବ ନାହିଁ । ତେବେ ଏହି ପ୍ରକ୍ରିୟା କେବଳ ମଧ୍ୟପ୍ରଦେଶର କେତେକ ଅଞ୍ଚଳରେ ଘଟୁଛି ବୋଲି କହିବା ଠିକ୍ ହେବ ନାହିଁ । ୨ଠ୧୬ରେ ଗୁଜରାଟ୍ର ଜଣେ ବ୍ୟକ୍ତି ନିଜ ବିବାହିତ ମହିଳାଙ୍କୁ ମାସିକ ଭଡା ୮ଠଠଠଟଙ୍କା ହିସାବରେ ଜଣେ ଧନୀ ବ୍ୟକ୍ତିଙ୍କୁ ବିକ୍ରି କରିଥିବା ଜଣାପଡିଥିଲା । ଅର୍ଥାତ୍ ଦେଶର କେଉଁଠି ନା କେଉଁଠି ଏପ୍ରକାର ଘଟଣା ଘଟିଆସୁଛି । କେନ୍ଦ୍ର ସରକାର ଏସବୁ ଦିଗରେ ମଧ୍ୟ ଧ୍ୟାନ ଦେବା ଉଚିତ୍ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।