ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୮ଟି ଜିଲ୍ଲାର ଭୂମିହୀନ ମାନଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ ପାଇଁ ‘ଜାଗା ମିଶନ’ର ଶୁଭାରମ୍ଭ କରିଛନ୍ତି । ଭୂମିହୀନ ବସ୍ତିବାସିନ୍ଦାଙ୍କ ପାଇଁ ଭୂମି ଅଧିକାର କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଜାଗା ମିଶନ ଆରମ୍ଭ କରିଛନ୍ତି। ବିଶ୍ୱର ଏହି ସର୍ବବୃହତ ଯୋଜନାରେ ରାଜ୍ୟର ପୌରାଞ୍ଚଳ ଓ ଏଏନସିରେ ବସବାସ କରୁଥିବା ୧୮ ଳକ୍ଷ ବସ୍ତିବାସିନ୍ଦା ଉପକୃତ ହେବେ । ବସ୍ତିବାସିନ୍ଦାମାନେ ବାସୋପଯୋଗୀ ଜାଗା ପାଇବା ସହିତ ଯୋଗ୍ୟ ହୀତାଧିକାରୀମାନେ ଆବାସ ଯୋଜପନାରେ ଘର, ପାଇପ ଜଳ, ରାସ୍ତା, ଏଲଇଡି ଲାଇଟ୍, ପାଇଖାନା ଓ ଅନ୍ୟନ୍ୟା ସୁବିଧା ପାଇବେ ।
ଅନ୍ୟପଟେ ବିଜେପି ଏହି ଯୋଜନାକୁ ବିରୋଧ କରି ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ବସ୍ତିବାସିନ୍ଦା ଜମି ପଟ୍ଟା ଯୋଗାଣ ମାମଲାରେ ମୁଖ୍ୟମନ୍ତ୍ରୀ ମିଥ୍ୟା ତଥ୍ୟର ସୌଦାଗର ଏବଂ ଦିନରେ ଲଣ୍ଠନ ଦେଖାଇବାର ଅପଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ଛତ୍ରପୁରଠାରେ ପ୍ରଥମେ ୨୦୦୦ ବସ୍ତିବାସିନ୍ଦାଙ୍କୁ ପଟ୍ଟା ଯୋଗାଇବା ଘୋଷଣା କରିଥିଲେ । ସରକାର ଥ୍ରି-ଟିରେ ବିଶ୍ୱାସ କରୁଛନ୍ତି ଟେକ୍ନୋଲୋଜି ବ୍ୟବହାର କରି ୨୦୧୮ରେ ଏହି ୨୦୦୦ ଲୋକଙ୍କ ତାଲିକା ୱେବସାଇଟ୍ ମାଧ୍ୟମରେ ସାର୍ବଜନୀନ କରିବା ସହ କେବେ ଜମିର ଦଖଲ ଦିଆଗଲା ଏହାର ତାରିଖ ଓ ପ୍ରମାଣର ପ୍ରକାଶ କାହିଁକି କରୁନାହାଁନ୍ତି ବୋଲି ପ୍ରଶ୍ନ କରିଛି ବିଜେପି ।
ସେପଟେ ବିଜେଡ଼ି ମଧ୍ୟ ଏହାର ଜବାବ ରଖିଛି । ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ବସ୍ତିବାସିନ୍ଦାଙ୍କ ପାଇଁ ‘ଜାଗା ମିଶନ’ ଭାରତର ପ୍ରଥମ ସର୍ବବୃହତ ଯୋଜନା । ଯେଉଁଥିରେ ଲକ୍ଷଲକ୍ଷ ବାସହରା ଲୋକେ ଉପକୃତ ହେବେ । କିନ୍ତୁ ବିଜେପି ଏହାକୁ ରାଜନୈତିକ ରୂପ ଦେଇ ପ୍ରହେଳିକା ସୃଷ୍ଟି କରୁଛି । ଯାହାର ଜବାବ ଓଡ଼ିଶାବାସୀ ଖୁବଶୀଘ୍ର ଦେବେ ବୋଲି ବିଜେଡ଼ି କହିଛି ।