ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଚାରିଛକ ଗୋମୁଣ୍ଡିଆରେ ବୃହତ ପାନୀୟ ଜଳ ପ୍ରକଳ୍ପ ‘ବସୁଧା’ର ଭତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରକଳ୍ପ ଦ୍ୱାରା ଗଂଜାମ ବ୍ଲକର ୫୫ ଟି ଗାଁ ଓ କୃଷ୍ଣପ୍ରସାଦ ବ୍ଲକର ୧୪ ପଂଚାୟତର ପ୍ରାୟ ୯୨ଟି ଗାଁ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିପାଇଁ ୧୮୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଦୀର୍ଘଦିନ ଧରି ଏହି ଅଂଚଳ ବାସିନ୍ଦା ଫ୍ଲୋରାଇଡ ଓ କ୍ଲୋରାଇଡ ମିଶ୍ରିତ ପାଣି ପିଇ ଆସୁଥିଲେ । ତେଣୁ ଏଠାରେ ବସୁଧା ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଫଳରେ ଦୁଇଟି ଜିଲ୍ଲାର ମୋଟ ୧୪୭ଟି ଗାଁର ୪ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ । ଗଞ୍ଜାମ ଜିଲ୍ଲା ରୁଷିକୂଲ୍ୟା ନଦୀର କଂସାରୀ ଗଣ୍ଡରୁ ଏଥିପାଇଁ ପାଣିର ବ୍ୟବସ୍ଥା କରାଯିବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପିଇବା ପାଣି ପାଇଁ ବର୍ଷକୁ ୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଶିଳାନ୍ୟାସ ଉତ୍ସବରେ ମନ୍ତ୍ରୀ ମହେଶ୍ୱର ମହାନ୍ତି, ସାଂସଦ ପିନାକୀ ମିଶ୍ର, ବିଧାୟକ ସଞ୍ଜୟ ଦାସବର୍ମା ଓ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ଉପସ୍ଥିତ ଥିଲେ ।