ହକି ବିଶ୍ୱକପ୍ ର ଉଦଘାଟନୀ ଉତ୍ସବ ଅତି ଦମଦାର ରହିଥିବା ବେଳେ ଏବେ ଆଉ ଏକ ନୂଆ ଉତ୍ସାହ ହକିପ୍ରେମୀଙ୍କ ମଧ୍ୟରେ ବସା ବାନ୍ଧିବାକୁ ଯାଉଛି. ତେବେ ହକି ବିଶ୍ୱକପ୍ ର ଉଦଯାପନୀ ଉତ୍ସବକୁ କେଉଁମାନେ ଆସିବେ ତାକୁ ନେଇ ଏବେଠୁ ଚର୍ଚ୍ଚା ହେବା ଆରମ୍ଭ ହୋଇଗଲାଣି. କଳିଙ୍ଗ ଷ୍ଟାଡିୟମ ମଂଚରେ ଏକାଠି ହେବେ ବଲିଉଡ ଓ କ୍ରୀଡା ଜଗତର ୬ ତାରକା. ବଲିଉଡର ଶେହେନସା ଅମିତାଭ ବଚ୍ଚନ, ସୁପରଷ୍ଟାର  ଅମିର ଖାନ୍, ଚକୋଲେଟ ବୟ ସାହିଦ କପୁର, କ୍ରିକେଟ ଲିଜେଣ୍ଡ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି ପ୍ରମୁଖ ହକି ବିଶ୍ୱକପ୍ ର ଉଦଯାପନୀ ସମାରୋହରେ ଯୋଗ ଦେବେ ବୋଲି ଅନୁମାନ କରାଯାଉଛି. ଉଦଘାଟନୀ ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ସୁପରଷ୍ଟାର ଶାହରୁଖ ଖାନ, ମାଧୁରୀ ଦୀକ୍ଷିତଙ୍କ ସହ ବରିଷ୍ଠ ସଂଗୀତକାର କଣ୍ଠଶିଳ୍ପୀ ଏ.ଆର.ରେହମାନ ଯୋଗ ଦେଇଥିଲେ. ସେମାନଙ୍କୁ ନେଇ ସାରା ଓଡିଶାରେ ହକିର କ୍ରେଜ ଆକାଶ ଛୁଇଁଥିଲା. ତା’ପରଦିନ ବାରବାଟୀରେ ହକି ପାଇଁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବ ରେ ସଲମାନ ଖାନଙ୍କ ଉପସ୍ଥିତି ସଭିଙ୍କୁ କିମିଆଁ କରିଥିଲା. ଏହାକୁ ହକି ଫିବର ଶୀର୍ଷରେ ପହଁଚିଥିବାବେଳେ ଉଦଯାପନୀ ସନ୍ଧ୍ୟାକୁ ଆହୁରି ଦମଦାର କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି. ଏ ନେଇ କ୍ରୀଡା ବିଭାଗ ବଲିଉଡର ସୁପରଷ୍ଟାର, ସୁନାମଧନ୍ୟ କଳାକାର ଓ ମହାନ କ୍ରିକେଟରମାନଙ୍କ ସହ ଯୋଗାଯୋଗ କରିଛନ୍ତି. ସେମାନଙ୍କୁ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି. କ୍ରୀଡା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯେଉଁମାନଙ୍କୁ ଯୋଗାଯୋଗ କରାଯାଇଛି, ସେମାନଙ୍କ ଭିତରୁ କେତେକ ଆସିବେ ବୋଲି ସମ୍ମତି ଜଣାଇ ସାରିଲେଣି . ଅନ୍ୟମାନେ ଡିସେମ୍ବର ପ୍ରଥମ ସପ୍ତାହରେ ସ୍ପଷ୍ଟ କରିବେ . ଏହା ପରେ ଚୂଡାନ୍ତ ଘୋଷଣା କରାଯିବ.

 

LEAVE A REPLY

Please enter your comment!
Please enter your name here