ନୂଆଦିଲ୍ଲୀ(ଏଜେନ୍ସି): ପାକିସ୍ତାନର କର୍ତ୍ତାରପୁର ସାହେବ କରିଡର ଶିଳାନ୍ୟାସ କାର୍ୟ୍ୟକ୍ରମରେ ଯୋଗଦେଇ ଫେରିବା ପରେ ଗଣମାଧ୍ୟମରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦୀୟ ତଥା ସମାଲୋଚିତ ହୋଇପଡିଥିବା ପଞ୍ଜାବ ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ୍ ସିଦ୍ଧୁଙ୍କୁ ସୁରକ୍ଷା ଦେବା ପାଇଁ ତାଙ୍କ ପତ୍ନୀ ନବଜୋତ୍ କୌର ଆଜି ସାମ୍ନାକୁ ଆସିଛନ୍ତି । ନବଜୋତ୍ କୌର କହିବାନୁସାରେ ତାଙ୍କ ସ୍ୱାମୀ ସିଦ୍ଧୁଙ୍କ ମନ୍ତବ୍ୟକୁ ଭୁଲ୍ ଭାବେ ଉପସ୍ଥାପିତ କରାଯାଇଛି । ସିଦ୍ଧୁ ନିଜ ମନ୍ତବ୍ୟରେ କ’ଣ କହିଛନ୍ତି, ସମାଲୋଚକମାନେ ପ୍ରଥମେ ଭଲଭାବେ ବୁଝିବା ଦରକାର । ତାଙ୍କ ବିବୃତିକୁ ଠିକ୍ ଭାବେ ନବୁଝି ଅଧାପନ୍ତରିଆ ଭାବେ ଉପସ୍ଥାପନ କରାଯିବା ଦ୍ୱାରା ଏହା ବିବାଦୀୟ ପ୍ରସଙ୍ଗ ପାଲଟିଛି । ସିଦ୍ଧୁଙ୍କୁ ଚାରି ଆଡୁ ସମାଲୋଚନା କରାଯାଉଛି, ଯାହାକି ଠିକ୍ ନୁହେଁ ।
ନବଜୋତ୍ କହିଛନ୍ତି, ତାଙ୍କ ସ୍ୱାମୀ ସିଦ୍ଧୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କୁ ପିତୃତୂଲ୍ୟ ବୋଲି କହିଥିଲେ ଏବଂ ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ଦଳର କ୍ୟାପଟେନ୍ ବୋଲି କହିଥିଲେ । କିନ୍ତୁ ସିଦ୍ଧୁଙ୍କ ମନ୍ତବ୍ୟକୁ କଦର୍ଥ କରାଯାଇ ଉପସ୍ଥାପିତ କରାଗଲା ଯେ, ଅମରିନ୍ଦରଙ୍କୁ ଗୁରୁତ୍ୱ ନଦେଇ ରାହୁଲଙ୍କୁ ନିଜ କ୍ୟାପଟେନ୍ ବୋଲି କହିଛନ୍ତି । ଏପରିକି ରାଜ୍ୟ ସରକାରଙ୍କ ଦୁଇ କେତେକ ମନ୍ତ୍ରୀ ସିଦ୍ଧୁଙ୍କୁ ପଦରୁ ହଟାଇଦେବାକୁ ମଧ୍ୟ ଦାବି କରିବା ଆରମ୍ଭ କରିଦେଲେ । କିନ୍ତୁ ସେମାନେ ବାସ୍ତବ ପ୍ରସଙ୍ଗ କ’ଣ ତାହା ଜାଣିନାହାନ୍ତି । ସିଦ୍ଧୁ କାହାକୁ ମଧ୍ୟ ଅସମ୍ମାନିତ କରିନାହାନ୍ତି । ସେ କେବଳ କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କୁ ହାଇକମାଣ୍ଡ ଭାବେ ଉପସ୍ଥାପନ କରିବାକୁ ଯାଇ କ୍ୟାପଟେନ୍ ବୋଲି ସମ୍ବୋଧନ କରିଛନ୍ତି । ଏହି ଅବସରରେ ସିଦ୍ଧୁଙ୍କ ପ୍ରତି ଦେଇଥିବା ଗୁଗ୍ଲୀ ମନ୍ତବ୍ୟ ପାଇଁ ପାକିସ୍ତାନ ମନ୍ତ୍ରୀ ଶାହା ମେହମ୍ମୁଦ କୁ୍ୟରେସୀ କ୍ଷମା ମାଗନ୍ତୁ ନଚେତ୍ ପାକିସ୍ତାନ ସରକାର ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁବୋଲି ନବଜୋତ୍, ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ଙ୍କ ନିକଟରେ ଦାବି କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ହରସିମରତ୍ ବାଦଲ ମଧ୍ୟ ପାକିସ୍ତାନ ମନ୍ତ୍ରୀଙ୍କ ମନ୍ତବ୍ୟକୁ ଶିଖ୍ ସମ୍ପ୍ରଦାୟକୁ ଆକ୍ଷେପ ବୋଲି ଅଭିଯୋଗ କରିବା ସହ ଇମ୍ରାନ୍ ଏଦିଗରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସୂଚନାଥାଉ କି, ଦୁଇଦିନ ପୂର୍ବେ ସିଦ୍ଧୁ କହିଥିଲେ ଯେ, ପାକିସ୍ତାନ ଯିବା ପୂର୍ବରୁ ସେ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧିଙ୍କ ଠାରୁ ଅନୁମତି ଲୋଡିଥିଲେ, ରାହୁଲ ମଧ୍ୟ ସୌଜନ୍ୟତାମୂଳକ ଭାବେ ପାକିସ୍ତାନ ଯିବା ପାଇଁ ତାଙ୍କୁ ଅନୁମତି ଦେଇଥିଲେ । ଏହି ଅବସରରେ ସେ ଜୋର ଦେଇ କହିଥିଲେ, ତାଙ୍କ କ୍ୟାପଟେନ ରାହୁଲ ଗାନ୍ଧି ଅଟନ୍ତି । ସେ ହିଁ ସବୁ ସ୍ଥାନକୁ ତାଙ୍କୁ ପଠାନ୍ତି । ରାହୁଲଙ୍କ ସମେତ ପ୍ରାୟ ୨୦ କଂଗ୍ରେସ ନେତା ଓ କେତେକ କେନ୍ଦ୍ରମନ୍ତ୍ରୀ ତାଙ୍କୁ ପାକିସ୍ତାନ ଯିବାକୁ କହିବାରୁ ସେ ପାକିସ୍ତାନ ଯାଇଥିଲେ । ସିଦ୍ଧୁଙ୍କ ଏପ୍ରକାର ମନ୍ତବ୍ୟକୁ ନେଇ ବିଜେପି, କଂଗ୍ରେସ ମଧ୍ୟରେ ବାକ୍ୟୁଦ୍ଧ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here