ତେଲେଙ୍ଗାନା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦିନକ ପୂର୍ବେ କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ଇସ୍ତାହାର ପତ୍ରକୁ ନେଇ ବିଜେପି ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି । ବିଶେଷକରି ବିଜେପି ଏବେ ଏହାକୁ ନିର୍ବାଚନୀ ପ୍ରଚାରର ମୁଖ୍ୟ ପ୍ରସଙ୍ଗ କରିଥିବା ଦେଖିବାକୁ ମିଳିଛି ।

ରବିବାର ତେଲେଙ୍ଗାନାର ନାରାୟଣପେଟ ଅଞ୍ଚଳରେ ଆୟୋଜିତ ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ହୋଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା କହିଛନ୍ତି, ତେଲେଙ୍ଗାନାରେ କଂଗ୍ରେସ ନିଜ ଇସ୍ତାହାରରେ ମସଜିଦ୍ ଓ ଚର୍ଚ୍ଚରେ ମାଗଣାରେ ବିଜୁଳି ଦେବ ବୋଲି ପ୍ରତିଶ୍ରୁତି ଦେଇଛି କିନ୍ତୁ ମନ୍ଦିର ପାଇଁ କିଛି ନାହିଁ । ଏହାକୁ କଂଗ୍ରେସର ହିନ୍ଦୁତ୍ୱ ବିରୋଧୀ ଆଭିମୁଖ୍ୟ ବୋଲି ବିବେଚନା କରାଯିବ । ସେହିପରି ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍) ପକ୍ଷରୁ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆନଯାଇ ନିର୍ବାଚନୀ ଇସ୍ତାହାରରେ କେବଳ ଲୋଭନୀୟ ପ୍ରତିଶ୍ରୁତିକୁ ଉଲ୍ଲେଖ କରାଯାଇଛି । ଟିଆରଏସ୍ ଏବଂ କଂଗ୍ରେସ କେବଳ ସଂଖ୍ୟା ଲଘୁଙ୍କୁ ଏପ୍ରକାର ଲୋଭ ଦେଖାଇ ନିର୍ବାଚନ ଜିତିବାକୁ ଚାହୁଁଛନ୍ତି । କିନ୍ତୁ ବିଜେପି ଏଠାରେ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାକୁ ଇଚ୍ଛା ରଖୁଛି । ଶାହାଙ୍କ କହିବାନୁସାରେ ଏଆଇଏମ୍ଆଇଏମ୍ ସୁପ୍ରିମୋ ତଥା ହାଇଦ୍ରାବାଦ ସାଂସଦ ଅସାଉଦ୍ଦିନ୍ ଓୱୈସୀଙ୍କ ଡରରେ ଟିଆରଏସ୍ ସରକାର ଏବେ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୧୭ରେ ରାଜ୍ୟବ୍ୟାପୀ ଲିବରେସନ ଡେ ପାଳନ କରୁଛି । ଯଦି ବିଜେପି ରାଜ୍ୟରେ ସରକାର ଗଠନ କରେ ତେବେ ହାଇଦ୍ରାବାଦରେ ଲିବରେସନ ଡେ ଭବ୍ୟ ସମାରୋହ ସହ ପାଳନ କରାଯିବ । ଶାହା କହିଛନ୍ତି, ତେଲେଙ୍ଗାନା ବିଧାନସଭା ନିର୍ବାଚନ ଏକ ତ୍ରିପାକ୍ଷିକ ଲଢେଇ । ଗୋଟିଏ ପଟେ ଟିଆରଏସ୍ ମୁଖ୍ୟ କେ. ଚନ୍ଦ୍ରଶେଖର ଅଛନ୍ତି ଯିଏକି ତେଲେଙ୍ଗାନାକୁ ଏଆଇଏମ୍ଆଇଏମ୍ ପାଖରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଦେଇଛନ୍ତି । ଅନ୍ୟପଟେ କଂଗ୍ରେସ ରହିଛି, ଯାହାକି ପଞ୍ଜାବ ମନ୍ତ୍ରୀ ନବଜୋତ୍ ସିଂହ ସିଦ୍ଧୁଙ୍କୁ ପାକିସ୍ତାନର ସେନାଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀଙ୍କ ସହ କୋଳାଗ୍ରତ କରିବା ପାଇଁ ପଠାଇଦେଉଛି । ସେହିଭଳି ତୃତୀୟ ପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ରହିଛି ଯାହା କେବଳ ଓ କେବଳ ବିକାଶ ଦିଗରେ କାମ କରୁଛି । ଏବେ ତେଲେଙ୍ଗାନାବାସୀ ନିଷ୍ପତ୍ତି ନିଅନ୍ତୁ ଯେ, ସେମାନେ କାହାକୁ ଭୋଟ୍ ଦେବେ । ତେଲେଙ୍ଗାନାରେ ଚଳିତ ମାସ ୭ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଫଳରେ ବିଜେପି, କଂଗ୍ରେସ, ଟିଡିପି ଏବଂ ଟିଆରଏସ୍ ପକ୍ଷରୁ ଏଠାରେ ପ୍ରଚାର ଅଭିଯାନକୁ ଜୋରଦାର କରାଯାଇଛି ।

 

LEAVE A REPLY

Please enter your comment!
Please enter your name here